ମାଲକାନଗିରି,୨୧/୦୭ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମବେଡା ସଦର ପଂଚାୟତ କାର୍ଯ୍ୟାଳୟରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଯୋଗ ଦେଇ ଠାକୁର ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ଶିବିର ସମ୍ବନ୍ଧରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ। ଏଥିସମେତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଏବଂ ବିଡ଼ିଓ ଅମୂଲ୍ୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ଶିବିରରେ ସର୍ବମୋଟ ୨୪୪ ଜଣ ପଞ୍ଜିକୃତ କରାଇ ନିଜ ନିଜର ପରୀକ୍ଷା କରାଇଥିଲେ। ଦୃଷ୍ଟି ବାଧିତ ବିଭାଗରେ ୪୪, ଶ୍ରବଣ ବାଧିତ ବିଭାଗରେ ୫୧, ଅସ୍ଥିଶଲ୍ୟ ବିଭାଗରେ ୭୯, ମାନସିକ ବାଧିତ ବିଭାଗରେ ୨୨ ଏବଂ ଅନ୍ୟାନ୍ୟ ବିଭାଗରେ ୪୮ ଜଣ ପରୀକ୍ଷା କରାଇଥିଲେ। ସମସ୍ତ ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଲୋକମାନଙ୍କର ପରୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ମାନସିକ ବିଶେଷଜ୍ଞ ଡାକ୍ତର ଏମ ଅଭିଦ ହୁସେନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଗୋଲେଖ ଛତ୍ର, ଦୃଷ୍ଟି ବାଧିତ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ଖମାରୀ, ଶ୍ରବଣ ବାଧିତ ବିଶେଷଜ୍ଞ ଡାକ୍ତର ସଲମ ଏମ.କେ ଏବଂ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ପି.କେ ବେହେରା ଏବଂ ଡାକ୍ତର ସୁବ୍ରତ କୁମାର ଜେନା ପ୍ରମୁଖ ଆଜିର ଶିବିରରେ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ଏଥିସମେତ କୃତ୍ରିମ ଅଙ୍ଗ ଏବଂ ସହାୟକ ଯନ୍ତ୍ରପାତି ଡାକ୍ତର ମନୋଜ କୁମାର ସେଠୀ ଏବଂ ଶାରୀରିକ ଚିକିତ୍ସକ ଡାକ୍ତର ଜି. ନାଗ ସୁଦୂର ନବରଙ୍ଗପୁର ଆସି ଏହି ଶିବିରରେ ଯୋଗ ଦେଇଥିଲେ। ଆଜିର ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁରଜକାନ୍ତ ମହାରଣା, ସେକ୍ସନ ଅଫିସର ଜନାର୍ଦ୍ଦନ ହନ୍ତାଳ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶଶୀ ଭୂଷଣ ମହାନ୍ତି ପରିଚାଳନା କରିଥିଲେ।

