ବାରିପଦା, ୧୦/୦୭(ପାଇକପୁଅ): ଶ୍ୟାମାଖୁଣ୍ଟା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟିକାଙ୍କ କାର୍ଯ୍ୟଶୈଳୀକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକରେ ବ୍ୟାପକ ପିସି କାରବାର ଚାଲିଥିବା ଏବଂ ବିକାଶମୂଳକ କାର୍ଯ୍ୟରେ ପିଆରଆଇ (ପଞ୍ଚାୟତରାଜ ନିର୍ବାଚିତ) ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଛି। ଏନେଇ “ଶ୍ୟାମାଖୁଣ୍ଟା ବ୍ଲକ ବିକାଶ ମଞ୍ଚ” ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ସଙ୍ଗୀନ ଅଭିଯୋଗ ଅଣାଯାଇଛି। ବାଉଁଶବିଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଲମ୍ବୋଦର ସିଂ ଏବଂ ବାଲିଆର ଜନପ୍ରତିନିଧି ଗୁରୁପ୍ରସାଦ ଡାଙ୍ଗୁଆ ଅଭିଯୋଗ କରିଛନ୍ତି ଯେ, ଶ୍ୟାମାଖୁଣ୍ଟା ବ୍ଲକ ବିଡିଓ ସିଧାସଳଖ ୧୦ ପ୍ରତିଶତ ପିସି ମାଗୁଛନ୍ତି। “ବିକଶିତ ଗ୍ରାମ, ବିକଶିତ ଓଡ଼ିଶା” ଯୋଜନାରେ ପୂର୍ବରୁ ବିଧାୟକଙ୍କ ପାଣ୍ଠି ୪୦% ଏବଂ ପିଆରଆଇ ସଭ୍ୟଙ୍କ ଜରିଆରେ ୬୦% କାର୍ଯ୍ୟ ହେବାର ସମନ୍ୱୟ ରହିଥିଲା। ମାତ୍ର ବର୍ତ୍ତମାନ ବିଏଡିଓ ଓ ବିଧାୟିକା ସଞଳୀ ମୁର୍ମୁ ମିଶି ୧୦୦ ପ୍ରତିଶତ କାର୍ଯ୍ୟ ଶାସକ ଦଳର କର୍ମୀଙ୍କ ଦ୍ୱାରା କରାଇବାକୁ ଚକ୍ରାନ୍ତ କରୁଛନ୍ତି। ଯାହା ଫଳରେ ଗ୍ରାମପଞ୍ଚାୟତ ଗୁଡ଼ିକରେ ବିକାଶ ମୂଲକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜନ ପ୍ରତିନିଧି ମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗତ ମେ’ ୫ ତାରିଖରେ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ଗୁଡ଼ିକର ମରାମତି ପାଇଁ ଆସିଥିବା ସରକାରୀ ଅନୁଦାନର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିମ୍ବା କୌଣସି ପିଆରଆଇ ସଭ୍ୟଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ବରଂ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ସରକାରୀ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ପିତାଙ୍କୁ ମୁଖ୍ୟ ଅତିଥି କରି ବିଡିଓଙ୍କ ଉପସ୍ଥିତିରେ ଫିତା କଟାଯାଇଥିଲା। ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ। ବିଡିଓ ଜଣେ ସରକାରୀ ଅଧିକାରୀ ନୁହନ୍ତି, ବରଂ ବିଜେପି ଦଳର ଜଣେ କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ସେମାନେ କହିଛନ୍ତି। ଏହି ଦୁର୍ନୀତି ବିରୋଧରେ ଗତ ଜୁଲାଇ ୭ ଓ ୮ ତାରିଖରେ ବିକାଶ ମଞ୍ଚ ପକ୍ଷରୁ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ସହମତିରେ ଏକ ପ୍ରତିବାଦ ଧାରଣା ଦିଆଯାଇଥିଲା। ଅଭିଯୋଗ ଅନୁଯାୟୀ, ଶାସକ ବିଜେପି ଦଳର କିଛି ନେତା ଓ ସମିତି ସଭ୍ୟ (ସୋମନାଥ ସିଂ ଓ ମାନସ କୁମାର ଦାସ) ଧାରଣାରେ ବସିଥିବା ପ୍ରତିନିଧି ମାନଙ୍କୁ କଣ୍ଠରୋଧ କରିବାକୁ ଚେଷ୍ଟା କରିବା ସହ ମଞ୍ଚ ଭାଙ୍ଗି ଦେଇଥିଲେ। ଜନପ୍ରତିନିଧି ମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ଏ ସମ୍ପର୍କରେ ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।ସାମ୍ବାଦିକ ସମ୍ମିଳନୀରେ ସିନ୍ଦୂରଗୌରା ଗ୍ରାମପଞ୍ଚାୟତର ସରପଞ୍ଚ ଆକାଶ ସିଂଙ୍କ ମାଧ୍ୟମରେ ବ୍ଲକ ଅଧ୍ୟକ୍ଷ ଚନ୍ଦ୍ରମୋହନ ସିଂ ଏବଂ ଉପାଧ୍ୟକ୍ଷା ନମିତା ସିଂ ମୋଟା ଅଙ୍କର ଅର୍ଥ କାରବାର କରି ବିଜେପି ଦଳରେ ସାମିଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ଯେଉଁ ଅଧ୍ୟକ୍ଷ ବିଡିଓଙ୍କ ବିରୋଧରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇ ଅନଶନର ଧମକ ଦେଇଥିଲେ। ସେ ଏବେ ମୋଟା ଅଙ୍କର ଅର୍ଥ ପାଇ ବିଡିଓଙ୍କୁ ସମର୍ଥନ କରୁଛନ୍ତି। ଯାହା ଶ୍ୟାମାଖୁଣ୍ଟା ବ୍ଲକ ରାଜନୀତିରେ ଏକ ଲଜ୍ଜାଜନକ ବିଷୟ ବୋଲି ମଞ୍ଚର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଉଁଶବିଲ୍ଲା ସରପଞ୍ଚ ଲମ୍ବୋଦର ସିଂ, ବାଳିଡିହା ସମିତି ସଭ୍ୟ ଗୁରୁ ପ୍ରସାଦ ଡ଼ାଙ୍ଗୁଆ, କେନ୍ଦୁଆ ସରପଞ୍ଚ ମଲ୍ଲୀ ମାଝି, ଗୁଣ୍ଡିହୁଡ଼ି ସରପଞ୍ଚ ମାଳତୀ ମୁର୍ମୁ ସହ ବହୁ ଜନପ୍ରତିନିଧି ଉପସ୍ଥିତ ରହି ପ୍ରଶାସନିକ ସ୍ୱେଚ୍ଛାଚାରିତା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି।

