ମାଲକାନଗିରି,୨୯/୦୬(ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ୫ ବର୍ଷର ତଦନ୍ତ ପରେ ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ସୁନା ଲୁଟ ଘଟଣାର ପର୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ଲୁଟେରା ଦମ୍ପତିଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ଠାରୁ ୨୦୦ ଗ୍ରାମ ସୁନା, ୨ଟି ଦେଶୀ ପିସ୍ତଲ, ଗୋଟିଏ ଲ୍ୟାପଟପ, ୯ଟି ଜୀବନ୍ତ ଗୁଳି ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଏହି ଲୁଟ ଘଟଣା ୨ ମାର୍ଚ୍ଚ ୨୦୨୧ରେ ଘଟିଥିଲା। ମାଲକାନଗିରିର ସୁନା ବ୍ୟବସାୟୀ ସୁବାଷ ପାଟିଲଙ୍କ ଘରେ ଭଡ଼ାଟିଆ ଭାବେ ରହୁଥିବା ଏକ ଦମ୍ପତି ଚତୁରତାର ସହ ବିଶ୍ୱାସ ଜିତିଥିଲେ। ସେମାନେ ଆନ୍ଧ୍ରପ୍ରଦେଶରୁ ପ୍ରେମ ବିବାହ କରି ଆସିଥିବା କହି ଘର ଭଡ଼ା ନେଇଥିଲେ। ପ୍ରାୟ ତିନି ମାସ ଧରି ସୁବାଷଙ୍କ ଘରେ ରହି ସେମାନେ ଲୁଟ ଯୋଜନା ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତ ଦମ୍ପତିଙ୍କ ନାମ ମାଡାସୁ ଜୋନ ପୋଲ ଏବଂ ଇନ୍ତୁରୀ ଅରୁଣା ବୋଲି ଜଣାପଡ଼ିଛି। ୨୦୨୧ ମାର୍ଚ୍ଚ ୨ ତାରିଖରେ ଜୋନ ପୋଲ ଚାକିରି ପାଇଥିବା କହି ସୁବାଷଙ୍କ ପରିବାର ସଦସ୍ୟ ଓ ପଡ଼ୋଶୀମାନଙ୍କୁ ମିଠା ଖୁଆଇଥିଲେ। ସେହି ମିଠାରେ ବିଷାକ୍ତ ପଦାର୍ଥ ମିଶାଇ ଦିଆଯାଇଥିବାରୁ ଖାଇବା ପରେ ସମସ୍ତେ ଅଚେତ ହୋଇ ଯାଇଥିଲେ। ଏହାର ସୁଯୋଗ ନେଇ ଦମ୍ପତି ସୁବାଷଙ୍କ ଘରୁ ପ୍ରାୟ ୭୦୦ ଗ୍ରାମ ସୁନା, ୨ ଲକ୍ଷ ଟଙ୍କା ନଗଦ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଯାଇଥିଲେ। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦମ୍ପତି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ କାକାନି ଥାନା ଅଞ୍ଚଳର କୁପ୍ପୁରାଭାରୁ ଗ୍ରାମ ବାସିନ୍ଦା। ସେମାନେ ଅତ୍ୟନ୍ତ ଚତୁରତାର ସହ ଫୋନ ବ୍ୟବହାର କରୁନଥିଲେ। ଯାହାଫଳରେ ପୁଲିସ ପାଇଁ ସେମାନଙ୍କୁ ଟ୍ରାକ୍ କରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା। ତେବେ ନିକଟରେ ହୋଇଥିବା ଏକ ଭୁଲ ସେମାନଙ୍କୁ ପୁଲିସ ଜାଲରେ ଆଣିଦେଇଥିଲା। ସାଇବର ସେଲର ସହାୟତାରେ ଅଭିଯୁକ୍ତମାନେ ତାମିଲନାଡୁର କନ୍ୟାକୁମାରୀରେ ରହୁଥିବା ସନ୍ଧାନ ମିଳିଥିଲା। ପରେ ମାଲକାନଗିରି ପୁଲିସ ସେଠାରେ ପହଞ୍ଚି ଦମ୍ପତିଙ୍କୁ ଗିରଫ କରି ମାଲକାନଗିରି ଆଣିଥିଲା। ପଚରାଉଚରା ପରେ ସେମାନଙ୍କ ଠାରୁ ୨୦୦ ଗ୍ରାମ ସୁନା, ୨ଟି ଦେଶୀ ପିସ୍ତଲ, ଗୋଟିଏ ଲ୍ୟାପଟପ, ୯ଟି ଜୀବନ୍ତ ଗୁଳି ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ମଧ୍ୟ ସେମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ବିନୋଦ ପାଟିଲ, ଏସ୍ଡିପିଓ ଦିବ୍ୟଜ୍ୟୋତି ଦଳେଇ ଏବଂ ଆଇଆଇସି ରିଗାନ କିଣ୍ଡୋ ଘଟଣା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ପୁଲିସର ଏହି ସଫଳତାକୁ ସ୍ଥାନୀୟ ଏବଂ ବ୍ୟବସାୟୀ ମହଲରେ ସ୍ୱାଗତ କରାଯାଇଛି।

