ବାରିପଦା, ୨୮/୦୬(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାରେ ପୃଥକ ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଘଟିଛି। ମହୁଲଡିହା ଥାନା ଅନ୍ତର୍ଗତ ଡୋକେଇପାଳ ଗ୍ରାମର ମୁକ୍ତାଝରି ସାହିରେ ଜଣେ ମା ଓ ତାଙ୍କ ନାବାଳିକା ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ, ଅନ୍ୟ ଘଟଣାରେ ବେତନଟୀ ଅଞ୍ଚଳରେ ଜଣେ ୩୯ ବର୍ଷୀୟ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଉଠିଛି। ଉଭୟ ଘଟଣା ଜିଲ୍ଲାରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି।
ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଘଟଣାରେ ଗଭୀର ଦୁଃଖ ଓ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ସେ ପୃଥକ ଦୁଇଟି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରିଛନ୍ତି। ଉଭୟ ଟିମ ପୃଥକ ଭାବେ କରଞ୍ଜିଆ ଓ ବେତନଟୀ ଅଞ୍ଚଳ ଗସ୍ତ କରି ପ୍ରଭାବିତ ପରିବାର ସହ ସାକ୍ଷାତ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଏବଂ ପୁଲିସ ପ୍ରଶାସନକୁ ଭେଟି ଅଭିଯୁକ୍ତଙ୍କ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ, ନିରପେକ୍ଷ ତଦନ୍ତ ଓ ନ୍ୟାୟ ପାଇଁ ଦାବି କରିବେ।
ମହୁଲଡିହା ଡବଲ ମର୍ଡର ପାଇଁ ଟିମରେ ବିଜେଡି ମୟୂରଭଞ୍ଜ ଜିଲ୍ଲା-୨ ସଭାପତି ଡା ଦେବାଶିଷ ମରାଣ୍ଡି ସଂଯୋଜକ ଥିବା ବେଳେ ପୂର୍ବତନ ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ରାଇସେନ ମୁର୍ମୁ, ଚକ୍ରଧର ହେମ୍ବ୍ରମ ଓ କାଶୀନାଥ ହେମ୍ବ୍ରମଙ୍କ ସହିତ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ହେବେ । ସେହିପରି ବେତନଟୀ ଦୁଷ୍କର୍ମ-ହତ୍ୟା ଘଟଣା ପାଇଁ ଟିମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ ସଂଯୋଜିକା ଥିବା ବେଳେ ରଞ୍ଜିତା ମରାଣ୍ଡି, ପ୍ରୀତିନନ୍ଦା କାନୁନଗୋ, ଅନୁସୟା ପାତ୍ର ଏବଂ ଅନ୍ୟାନ୍ୟ ମହିଳା ନେତ୍ରୀମାନେ ସାମିଲ ରହିବେ । ବିଜେଡି ପକ୍ଷରୁ ଦାବି କରାଯାଇଛି ଯେ, ଉଭୟ ଘଟଣାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫତାର କରି ଦ୍ରୁତ ତଦନ୍ତ ଓ ବିଚାର ପ୍ରକ୍ରିୟା ଜାରି କରାଯାଉ ଏବଂ ରାଜ୍ୟରେ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରାଯାଉ ବୋଲି ଏକ ପ୍ରେସ ବିବୃତି ଦ୍ବାରା ଦଳର ଗଣମାଧ୍ୟମ ସଂଯୋଜକ ପ୍ରୀୟବ୍ରତ ମାଝୀ ଜଣାଇଛନ୍ତି ।

