ଯୋଡା,୦୫/୦୬(ପାଇକପୁଅ)ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଥାନୀୟ ଯୋଡା ଶାସ୍ତ୍ରୀ ନଗରରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଶୁକ୍ରବାର ସକାଳ ୭ଟାରୁ ଏକ ବୃହତ ସଫାଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ପରିବେଶ ଗଠନ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।ଏହି ଅବସରରେ ଯୋଡା ଏନଏସି ଗେଟ୍ ଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଏକ ସଫାଇ ଅଭିଯାନ ଚାଲିଥିଲା। ବ୍ରହ୍ମାକୁମାରୀର ସଦସ୍ୟମାନେ ରାସ୍ତାଘାଟ ଓ ଆଖପାଖ ଅଞ୍ଚଳ ସଫା କରିବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇ ସବୁଜ ପରିବେଶ ଗଠନର ବାର୍ତ୍ତା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଫରେଷ୍ଟ ଅଫିସର ତ୍ରିନାଥ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ବଢୁଥିବା ପରିବେଶ ପ୍ରଦୂଷଣକୁ ରୋକିବା ସହ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନରେ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ।
ଯୋଡା ଶାଖାର ଦାଇତ୍ୱରେ ଥିବା ମଞ୍ଜୁ ଦିଦିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସମସ୍ତ ଭାଇ ଓ ଭଉଣୀମାନେ ସକ୍ରିୟ ଭାବେ ସାମିଲ ହୋଇ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଦିଗରେ ଏଭଳି ପ୍ରୟାସ ପ୍ରଶଂସନୀୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି।

