ମାଲକାନଗିରି,୧୯/୦୫ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କିଚପାଲି ଗ୍ରାମରେ ୯ମ ବାର୍ଷିକ ଉତ୍ସବ/ ସେବା ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପିଲା ଠାରୁ ବୃଦ୍ଧ ଯାଏଁ ଏହି ବାର୍ଷିକ ଉତ୍ସବରେ ନିଜ ନିଜର ନୃତ୍ୟ, ଡ୍ରାମା ସହ ବିଭିନ୍ନ କଳା ପ୍ରଦର୍ଶନ କରିଥାନ୍ତି। ତେବେ କୌଣସି ଅନୁଷ୍ଠାନ ରେ କେବଳ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିବା ଦେଖି ଆସୁଥିବା ବେଳେ ଆଜି ପ୍ରଥମ କରି ଏକ ଗ୍ରାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପାତ୍ର, କୋରୁକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ବାଲିମେଳା ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ଗ୍ରାମର ପେଦା ଉପେନ୍ଦ୍ର ମାଡକାମୀ, ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମାଡକାମୀ, ସମାଜସେବୀ ଭୀଷ୍ମ ପାଙ୍ଗି ଏବଂ ଈଶ୍ୱର ପାଙ୍ଗି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଗ୍ରାମବାସୀ ବିଧାୟକ ଶ୍ରୀ ଖିଲ ଙ୍କୁ ବାଜା ବଜାଇ ଆଦିବାସୀ ନୃତ୍ୟ ଢେମସା ର ତାଳେ ତାଳେ ଗ୍ରାମକୁ ପାଛୋଟି ନେଇଥିଲେ। ବିଧାୟକ ଶ୍ରୀ ଖିଲ ନିଜେ ଗ୍ରାମବାସୀ ଙ୍କ ସହ ମିଶି ଢେମ୍ସା ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା। ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ ଗ୍ରାମରେ ହେଉଥିବା ଏଭଳି ନିଆରା କାର୍ଯ୍ୟକ୍ରମ କୁ ଭୁରି ପ୍ରଶଂସା କରିବା ସହ ଗ୍ରାମରେ ଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀ ଙ୍କ ଦ୍ଵାରା କୋୟା ନୃତ୍ୟ ଠାରୁ ଆରମ୍ଭ କରି ଆଦିବାସୀ ନୃତ୍ୟ ଏବଂ ଡ୍ରାମା ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ନିମନ୍ତେ ଅଞ୍ଚଳର ଶତାଧିକ ଲୋକେ ଉପସ୍ଥିତ ଥିଲେ। ରାହୁଲ ମାଡକାମୀ ମଞ୍ଚ ପରିଚାଳନା କରିଥିଲେ।

