କୋଣାର୍କ, ୧୩/୦୫(ପାଇକପୁଅ)ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବର୍ଣ୍ଣ ଲତା ନର୍ସିଂ କଲେଜ ପକ୍ଷରୁ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ସ୍ବର୍ଣ୍ଣ ଲତା ନର୍ସିଂ କଲେଜର ନିର୍ଦେଶକ ଅଚ୍ୟୁତ ରାଧାକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବିକା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠର ସଭାପତି ନିରଞ୍ଜନ ସାହୁ, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ସାହିତ୍ୟ ସଂସଦ ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ବିଚିତ୍ର ଚୌଧୁରୀ, ସ୍ବର୍ଣ୍ଣଲତା ନର୍ସିଂ କଲେଜ ଅଧ୍ୟକ୍ଷା ସସ୍ମିତା ସ୍ବାଇଁ, କୋଣାର୍କ ଥାନା ଏସଆଇ ସ୍ବରାଜ କେଶରୀ ସିଂ ଓ ଶରତ ଲେଙ୍କା ପ୍ରମୁଖ ଯୋଗ ଦେଇ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଓ ଜୀବନ ଦାୟିନୀ ଭାବେ ସମାଜରେ ସେବିକା ମାନଙ୍କର ଭୂମିକା ଅତୁଳନୀୟ। ସେମାନଙ୍କ ନିଷ୍ଠାପର ସେବା ମନୋଭାବ ଓ ନିଃସ୍ବାର୍ଥପର ସ୍ବାସ୍ଥ୍ୟ ସେବା ସମାଜର ଅନଗ୍ରସର ଓ ଅସହାୟ ବର୍ଗର ଲୋକ ମାନଙ୍କ ସାହା ଭରସାର ପ୍ରତୀକ ପାଲଟି ଥିବା ବେଳେ ସେମାନଙ୍କ ଭୂମିକା ତ୍ୟାଗ ଓ ସେବା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବାଶିଷ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ କୁଇଜ୍, ବକ୍ତୃତା ପ୍ରତିଯୋଗୀତା, ମେହେନ୍ଦୀ ପ୍ରତି ଯୋଗିତା ଓ ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶ୍ରାବଣୀ ନାୟକ, ଅନିତା ରାଣୀ ବେହେରା, ବାବୁରାମ ସ୍ବାଇଁ, ରଶ୍ମିତା ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

