ଯୋଡା,୧୮/୦୪ (ପାଇକପୁଅ) ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଟାଟାଷ୍ଟିଲ ଯୋଡା ପକ୍ଷରୁ ସ୍ଥାନୀୟ ଡି ଏ ଭି ପବ୍ଲିକ୍ ସ୍କୁଲ୍ ଠାରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଟାଟା ଷ୍ଟିଲ୍ ଯୋଡା ସେଫଟି ବିଭାଗ ଆନୁକୁଲ୍ୟରେ ଏବଂ ସେଫଟି ଅଫିସର ସୁଜିତ୍ କୁମାର ଝା ଙ୍କ ତତ୍ତ୍ଵାବଧାନରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ର ବ୍ୟବହାର ସମ୍ପର୍କରେ ବୁଝାଯାଇଥିଲା। ଏଥିସହ ଅଗ୍ନି ର ପ୍ରକାର ଭେଦ ସମ୍ପର୍କରେ ଅବଗତ କରାଯାଇ ସେଗୁଡିକର ଲିଭାଇବା କୌଶଳ ମଧ୍ୟ ଦର୍ଶାଯାଇଥିଲା।
ଛାତ୍ରଛାତ୍ରୀ ଙ୍କୁ ସବୁଠାରୁ ଆକର୍ଷିତ କରିଥିଲା ରୋବଟ ଅଗ୍ନି ନିର୍ବାପକ ଯନ୍ତ୍ର। ଏହି ରିମୋଟ୍ ଚାଳିତ ଯନ୍ତ୍ରଟି ଅନାୟାସରେ ଯେକୌଣସି ସ୍ଥାନରେ ପହଞ୍ଚି ନିଆଁକୁ ଲିଭାଇବାର କାର୍ଯ୍ୟ କରିଥାଏ। ବିଶେଷ କରି ଯେଉଁଠି ମଣିଷ ଯିବାକୁ ଭୟ କରେ ସେଇ ଜାଗାକୁ ଯାଇ ଏହି ଯନ୍ତ୍ର ଟି ପାଣି ଦ୍ଵାରା ନିଆଁ ଲିଭାଇ ଥାଏ।ଏଥିରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଅପରେଟର ନିଆଁ ର ଅବସ୍ଥା ଦେଖି ସେହି ହିସାବରେ ନିଆଁ ଲିଭାଇବା ପାଇଁ ପାଣି ର ବ୍ୟବହାର କରିଥାଏ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଲେଇପଦାସ୍ଥିତ ଦମକଳ କେନ୍ଦ୍ର ର ଷ୍ଟେସନ ଅଫିସର ମୃତ୍ୟୁଞ୍ଜୟ ସିଂ ଏବଂ ତାଙ୍କ ଟିମ୍ ସହଯୋଗ କରିଥିଲେ।ଏହି ଅବସରରେ ସଚେତନତା ସୃଷ୍ଟି ପାଇଁ ଏକ ମକଡ୍ରିଲ ମଧ୍ୟ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସିପାଲ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
ସପ୍ତାହେ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ବିଷୟବସ୍ତୁ କୁ ଆଧାର କରି ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ଜନ ବସତିରେ ଆୟୋଜନ କରାଯିବ।
