ବାରିପଦା,୦୬/୦୩(ପାଇକପୁଅ) ସାର୍ବଭୌମ ରାଷ୍ଟ୍ର ଇରାନ ଉପରେ ସାମ୍ରାଜ୍ୟବାଦୀ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯୁଦ୍ଧର ଧ୍ୱଂସଲିଳା ସହ ତାଣ୍ଡବ ମଧ୍ୟପ୍ରାଚ୍ୟରେ ରଚି ଚାଲିଛନ୍ତି। ଏଥିରୁ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନବସତି, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ବାଦ ପଡ଼ିନାହିଁ. ଇରାନର ମୁଖ୍ୟ ଆୟୋତୋଲା ଅଲ୍ଲି ଖାମେନେଇକ ଜଘନ୍ୟ ଏବଂ କାପୁରୁଷୋଚିତ ହତ୍ୟାର ପ୍ରତିବାଦ ଏବଂ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ଧ୍ୱଂସ ନୁହେଁ ଜୀବନ ଚାହୁଁ ଭଳି ସ୍ଲୋଗାନ ଦେଇ ସିପିଆଇ, ମୟୂରଭଞ୍ଜ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସ୍ଥାନୀୟ ବାରିପଦା ପାଲବଣି ବାଇପାସ ଠାରେ ଅନୁଷ୍ଠିତ ହୋଇଯାଇଛି।ସିପିଆଇ ପକ୍ଷରୁ କୁହାଯାଇଛି ଯେ, ଇରାନ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର।ତେଣୁ ସେ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ଚୟନ କରିବା ଦାୟିତ୍ୱ ଇରାନ ବାସୀଙ୍କର।ସାମ୍ରାଜ୍ୟବାଦୀ ଶକ୍ତି ଆମେରିକା ସେଥିରେ ଜୋର ଜବରଦସ୍ତ ହସ୍ତକ୍ଷେପ କରି ନରସଂହାର ଚଳାଇଛି। ସେହିଭଳି ଭାରତର ନିରପେକ୍ଷ ବୈଦେଶିକ ନୀତିକୁ ଜଳାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଓ ଆମେରିକା ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ତାହା ଆମ ଦେଶର ପ୍ରଚଳିତ ବୈଦେଶିକ ନୀତିକୁ ଉଲଂଘନ କରୁଛି। ଯୁଦ୍ଧ ଅପରାଧୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତା ନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆନ୍ତର୍ଜାତିକ ବିଚାରାଳୟରେ ହାଜିର କରିବା ପାଇଁ ମିଳିତ ଜାତିସଂଘ ଆଶୁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଅଧିକନ୍ତୁ, ପଶ୍ଚିମ ଏସିଆରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଏହି ଦୁଇ ଦେଶ ବିଶ୍ୱ ଶାନ୍ତିକୁ ବିପନ୍ନ କରୁଛନ୍ତି।ଜଣେ ରାଷ୍ଟ୍ର ମୁଖ୍ୟଙ୍କୁ କୁତ୍ସିତ ଭାବେ ଟାର୍ଗେଟ କରି ହତ୍ୟା କରିବା କୌଣସି ଦେଶର ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ।ଆଜିର ଏହି ପ୍ରତିବାଦ ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ଶ୍ରୀକାନ୍ତ ସାମଲ, କାହ୍ନୁ ଚରଣ ବେହେରା, ହରି ଲୋହାର, ମହେଶ୍ୱର ବେହେରା, ଶାଖାଏ ମାଝୀ,ମୁଦୁନୀ ବିନ୍ଧାଣୀ,ଶାରଦେଈ ବିନ୍ଧାଣୀ, ସୋମବାରି ପାତ୍ର, ମମତା ମିଶ୍ର, ପ୍ରମିଳା ବିନ୍ଧାଣୀ, ଫୁଲେଶ୍ୱରୀ, ସୁବାସିନୀ ବିନ୍ଧାଣୀ, ରବିନ୍ଦ୍ର ପାତ୍ର ପ୍ରମୁଖ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।
