କୋଣାର୍କ, ୨୧/୦୨(ପାଇକପୁଅ)କୋଣାର୍କ ଏନ ଏ ସି ଅଧୀନ ବିଭିନ୍ନ ୱାର୍ଡରେ ବିଶୁଦ୍ଧ ପାନୀୟ ଜଳ ପାଇଁ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ କରାଯାଇଅଛି।ଏହି ପ୍ରକଳ୍ପ ଦ୍ଵାରା ଜନସାଧାରଣ ମାନଙ୍କୁ ଥଣ୍ଡା ବିଶୁଦ୍ଧ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଉଅଛି।ହେଲେ ଦୁଃଖର ବିଷୟ ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ କେତେକ ମେସିନ ଅଚଳ ହୋଇପଡ଼ିଥିବା ବେଳେ ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।କେବଳ ପ୍ରକଳ୍ପ ବସାଇ ଦେଇ ତାର ରକ୍ଷଣା ବେକ୍ଷଣ ନକରି ବାହା ବାହା ନେବା ପ୍ରୟାସକୁ ସାଧାରଣରେ ନାପସନ୍ଦ କରାଯାଇଅଛି। ଫ୍ରେବୁଆରୀ ମାସରୁ ପ୍ରବଳ ଗରମ ହେବା ସହ ଆଗକୁ ରୌଦ୍ରତାପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଫଳରେ ପର୍ଯ୍ୟଟକ ମାନଙ୍କ ସହ ସ୍ଥାନୀୟ ଜନସାଧାରଣ ଜଳକଷ୍ଟ ଭୋଗିବାର ଆଶଙ୍କା ରହିଛି।ଦୀର୍ଘ ତିନି ଚାରି ମାସ ହେବ ମାଧିପୁର ଛକ ଠାରେ ଅବସ୍ଥିତ ସୌର ଚାଳିତ ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ମେସିନ ଖରାପ ହୋଇ ପଡିଥିବା ବେଳେ ତାର ମରାମତି କେବେ ହବ ଆଉ କିଏ କରିବ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାରୁ ଜଣାପଡେକି ଏହି ପ୍ରକଳ୍ପ ଅଧୀନରେ କୋଣାର୍କ ଏନ ଏ ସିର ବିଭିନ୍ନ ୱାର୍ଡରେ ୩୦ ଉର୍ଦ୍ଧ ମେସିନ ବସିଥିବା ବେଳେ ମାତ୍ର ୨/୩ ମେସିନ ସଚଳ ରହିଥିବା ବେଳେ ବାକି ଅନ୍ୟ ସବୁ ଅଚଳ ହୋଇ ପଡିଥିବା ଦେଖିବାକୁ ମିଳିଛି।ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ଜନସାଧାରଣ ମାନଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇବାକୁ ବସାଇ ଥିବା ପ୍ରକଳ୍ପ ଗୁଡ଼ିକ ରକ୍ଷଣା ବେକ୍ଷଣ ଯୋଗୁଁ ଅଚଳ ହୋଇ ପଡ଼ିଥିବା ବେଳେ ଦାୟିତ୍ଵରେ ଥିବା ସଂସ୍ଥା ଏହାକୁ ମରାମତି ନକରିବା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ଆଗକୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ମେସିନ ଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବୀ ପ୍ରକାଶ ପାଇଛି।

