ମାଲକାନଗିରି,୨୧/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଠାରେ ଶନିବାର ଠାରୁ ମା ମାଉଳିଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମା ଆଜି ପ୍ରଥମ ଦିନରେ ପାହାଡ଼ ଉପରୁ ଆସି ପାହାଡ଼ର ପାଦଦେଶରେ ପୂଜା ପାଉଛନ୍ତି। ତେବେ ମା’ଙ୍କ ଦର୍ଶନ ନିମନ୍ତେ କୋରୁକୋଣ୍ଡା ସମେତ ଏହାର ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଙ୍କ ଭିଡ଼ ଜମିଥିଲା। ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଯେ, ମା’ ମାଉଳି ଯେଉଁ ପାହାଡ଼ ପାଦ ଦେଶରେ ଆଜି ପୂଜା ପାଉଛନ୍ତି। ଉକ୍ତ ପାହାଡ଼ର ପାଦ ଦେଶକୁ ମା’ଙ୍କ ଦର୍ଶନ ନିମନ୍ତେ ଯିବାକୁ ହେଲେ ଇରିଗେସନ ବିଭାଗର ଏକ କେନାଲ ଅତିକ୍ରମ କରିବାକୁ ପଡେ। ତେବେ ଦୁଃଖ ଏବଂ ପରିତାପ ର ବିଷୟ ଏହିକି ଯେ ଏହି ଇରିଗେସନ କେନାଲ ଉପରେ ବିଭାଗ ପକ୍ଷରୁ ପୋଲ ନିର୍ମାଣ କରାଯାଇନଥିବା ହେତୁ ଆଜି ଶତାଧିକ ଭକ୍ତ ବିପଦ ସଂକୁଳ ଅବସ୍ଥାରେ ନିଜର କୁନି କୁନି ଛୁଆଙ୍କୁ କାଖେଇ ଏହି ସିମେଣ୍ଟ ନିର୍ମିତ ବିଜୁଳି ଖମ୍ବ ଉପରେ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। କିଛି ବୃଦ୍ଧ ବୃଦ୍ଧା ଏହି ସିମେଣ୍ଟ ଇଲେକ୍ଟ୍ରିକ ପୋଲ ଉପରେ ଯାଇ ପାରୁନଥିବା ହେତୁ ମା ଙ୍କ ଦର୍ଶନ କରିନଥିବା ଅଭିଯୋଗ କରିଥିଲେ। ତେବେ ପ୍ରତ୍ୟେକ ବର୍ଷ ମା ମାଉଳି ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜିକୁ ଦୀର୍ଘ ବର୍ଷ ହେବ ଲୋକେ ମା ଙ୍କ ଦର୍ଶନ ନିମନ୍ତେ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଇରିଗେସନ ବିଭାଗ କିମ୍ବା ସ୍ଥାନୀୟ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି କେନାଲ ଉପରେ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
