ବାରିପଦା,୦୫/୦୨(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତା’ଙ୍କ ଶ୍ୱଶୁର ଘର ଗାଁ ପାହାଡପୁରକୁ ଗସ୍ତ କରିଛନ୍ତି।ପାହାଡପୁର ଗ୍ରାମରେ ପହଂଚି ପ୍ରଥମେ ଏସ.ଏଲ.ଏସ ଟ୍ରଷ୍ଟ ପରିସରସ୍ଥିତ ସ୍ବର୍ଗତଃ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ, ପୁତ୍ର ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁଙ୍କ ସମାଧି ସ୍ଥଳ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହା ପରେ ମୁର୍ମୁ ଛକ ଠାରେ ତା’ଙ୍କ ସ୍ୱାମୀ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହାପରେ ଗୋଶାଣି ସ୍ଥଳରେ ଭକ୍ତିପୂତ ପ୍ରଣାମ ଜଣାଇ ଜାହିରା ପୀଠକୁ ଯାଇ ପୂଜାର୍ଚନା କରିଥିଲେ।ପରବର୍ତ୍ତୀ ସମୟରେ ଏଲ.ଆଣ୍ଡ.ଟି ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଥିଲେ. ଏହି ଅବସରରେ ସେ ଶ୍ୟାମ ଚରଣ ମୁର୍ମୁ ପ୍ରାଥମିକ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀ ତଥା ବନ୍ଧୁ ପରିଜନଙ୍କୁ ଭେଟିଥିଲେ। ଏସ.ଏଲ.ଏସ ଟ୍ରଷ୍ଟରେ ପହଂଚି ଛାତ୍ରଛାତ୍ରୀଙ୍କ ସହ ଅଧ୍ୟୟନ ସମ୍ବନ୍ଧୀୟ ସ୍ନେହପୂର୍ଣ୍ଣ ଭାବବିନିମୟ କରିଥିଲେ।ବିଦ୍ୟାର୍ଥୀ ମାନେ ରାଷ୍ଟ୍ରପତିଙ୍କୁ ନିକଟରେ ପାଇ ଏବଂ ତାଙ୍କ ସହିତ କଥୋପକଥନ କରିବା ସୁଯୋଗ ପାଇ ଖୁବ ଆନନ୍ଦ ଅନୁଭବ କରିଥିଲେ।ଏହାପରେ ସେଠାରେ ଏଲ.ଆଣ୍ଡ.ଟିର ଦକ୍ଷତା ବିକାଶ କେନ୍ଦ୍ରରେ ବିଭିନ୍ନ ଟ୍ରେଡ଼ରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ଏବଂ ଏହି କେନ୍ଦ୍ରରୁ ପ୍ରଶିକ୍ଷିତ ହୋଇ ନିଯୁକ୍ତି ପାଇଥିବା ଯୁବକ ଯୁବକ ମାନଙ୍କ ସହ ଭାବ ବିନିମୟ ଜରିଆରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କ ଆଗରେ ସେମାନଙ୍କ ଅନୁଭୂତି ବଖାଣିବା ସହ ଆବଶ୍ୟକତା ବିଷୟରେ କହିଥିଲେ ଏହି ଅବସରରେ ସେ କହିଥିଲେ ଯେ ଆଜି ସେ ଭାଷଣ ଦେବାପାଇଁ ଆସିନାହାନ୍ତି ବରଂ ପିଲାମାନେ କେମିତି ଅଛନ୍ତି ଜାଣିବା ପାଇଁ ଆସିଛନ୍ତି. ଆଜି ମୋ ମାଟିକୁ ପାଖରେ ପାଇବାର ମୋତେ ସୁଯୋଗ ମିଳିଛି ସେଥିପାଇଁ ମୁଁ ଖୁବ ଆନନ୍ଦିତ ବୋଲି କହିଥିଲେ. ସେ ଆହୁରି ମଧ୍ୟ କହିଥିଲେ କି,ମୁଁ ଆଜି ଯେଉଁ ମାର୍ଗର ପଥିକ ସାଜିଛି ତାହା ମୋର ଅଭିଳାଷ ନଥିଲା, ମାତ୍ର ମୋର ବର୍ତ୍ତମାନ ସ୍ଥିତିର, ଶ୍ରେୟ କେବଳ ଏ ମାଟିର, ଏ ମାଟିର ଭାଇ ଭଉଣୀମାନଙ୍କ ସହଯୋଗର ଓ ଏ ମାଟିର ଜନତାଙ୍କର. ଆଜିର ଯୁବବର୍ଗ ଆଗାମୀ କାଲିର ଭବିଷ୍ୟତ. ଯୁବବର୍ଗ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ଏହା ଗାଁକୁ ପହଁଚୁଛି କି ନାହିଁ, ଯଦି ପହଂଚିଛି ତେବେ କେତେଦୂର ଏହା କାର୍ଯ୍ୟକାରି ହେଉଛି ଏବଂ ଏ ଗାଁର ଉନ୍ନତି ପାଇଁ କଣ ଅବଶ୍ୟକତା ଅଛି ସେ ବିଷୟରେ ପିଲାମାନଙ୍କ ଠାରୁ ଜାଣିବା ପାଇଁ ଚାହିଁ ଥିଲେ. ଏହି ଅବସରରେ କହିଥିଲେ ଯେ, ସେ ବହୁ କଷ୍ଟ ସାଧ୍ୟ କରି ପାହାଡପୁର ଭଳି ଗ୍ରାମରେ ଦିନେ ଛୋଟ ଚାରାଟିଏ ରୋପଣ କରିଥିଲେ, ଯାହାକି ଆଜି ମହାଦ୍ରୁମରେ ପରିଣତ ହେବା ସହ ଏହାର ଛାଇ ବହୁ ଜଣଙ୍କୁ ଆଶ୍ରୟ ଦେଉଛି।ସମସ୍ତ ବିଦ୍ୟାର୍ଥୀଙ୍କୁ ଭଲ ପାଠ ପଢି ବଡ ମଣିଷ ହେବା ପାଇଁ ଉପଦେଶ ଦେବା ସହ ପାଠ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପାଦନ କରି ଆତ୍ମ ନିର୍ଭର ହେବା ପାଇଁ ଉତ୍ସାହିତ କରିଥିଲେ।ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚାକିରୀ ମିଳିବା ସହଜ ନୁହେଁ, ତେଣୁ ଚାକିରୀ ଅନ୍ବେଷଣ ନକରି ଚାକିରୀ ଦେବା ପାଇଁ ନିଜ ଭିତରେ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଯୁବ ବର୍ଗଙ୍କୁ ଆହ୍ୱାନ ଜଣାଇଥିଲେ।ଯୁବ ବର୍ଗ ଆତ୍ମ ନିର୍ଭର ହେଲେ ଆତ୍ମ ନିର୍ଭର ଭାରତ ଏବଂ ବିକଶିତ ଭାରତ ସମ୍ଭବ ବୋଲି ସେ କହିଥିଲେ।
ତତ ସହିତ ଯେଉଁ ମାନଙ୍କ ଉଚ୍ଚ ଅଭିଳାଷ ଅଛି ମାତ୍ର ଆର୍ଥିକ ସ୍ଵଛଳତା ଅଭାବରୁ ଅଧାରୁ ପାଠ ପଢା ଛାଡି ରହିଛନ୍ତି ଏବଂ ଆଗକୁ ବଢ଼ିପାରୁ ନାହାନ୍ତି, ସେମାନଙ୍କୁ ନିଜର ଅଭିଳାଷ ପୂରଣ ପାଇଁ ଏଲଏନଟି ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ଆଳତୀ,ପୂଜାର୍ଚନା କରିବା ସହ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ଏବଂ ପ୍ରସାଦ ସେବନ କରିବା ସହ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ।ପରେ ପରେ ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁର ବାସ ଭବନକୁ ଫେରି ବିଶ୍ରାମ ନେବା ପରେ ପୁଣି ଅପରାହ୍ନରେ ଦାଣ୍ଡବୋଷ ଆସି ହେଲିକ୍ୟାପ୍ଟର ଯୋଗେ ଯଶିପୁର ଗସ୍ତ କରିଥିଲେ।ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି।ଆଜି ଶିମିଳିପାଳ ବୁଲିବା ସହ ରାତ୍ର ଭୋଜନ କରି ଶିମିଳିପାଳ ଭିତରେ ଗୁରୁଗୁଡ଼ିଆ ଠାରେ ରାତ୍ରିଯାପନ କରିଛନ୍ତି। ଶୁକ୍ରବାର ସକାଳୁ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶେଷ କରି ଯଶିପୁର ହେଲିପ୍ୟାଡ଼କୁ ଆସି ଦିବା ୧୧ଟା ୨୫ ମିନିଟରେ ରାଷ୍ଟ୍ରପତି ସ୍ୱତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକେପ୍ଟର ଯୋଗେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ବିମାନଘାଟି ଯାତ୍ରା କରି ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପ୍ତିଙ୍କ ଗସ୍ତ ପାଇଁ ମୟୁରଭଞ୍ଜ ଜିଲ୍ଲା ରେ ମୋଟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା ଉପରେ କଡାକଡି ନଜର ରଖଯାଇଛି।

