ମାଲକାନଗିରି,୧୩/୦୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାଗିରଥି ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ, କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ, ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଏକ ଛୋଟ ମେଳା ଆୟୋଜିତ ହୋଇଥିବା ବେଳେ ମେଳା ର ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଖିଲ। ଭିଜନ ୨୦୩୬ ମସିହାକୁ ଆଖି ଆଗରେ ରଖି ମୋ ସ୍ୱପ୍ନର ଓଡିଶା କେଉଁ ସ୍ତରକୁ ଯାଇଥିବ, ଶିକ୍ଷା ବ୍ୟବସ୍ଥାରେ କଣ ଉନ୍ନତି ହୋଇଥିବ ତାର ଅନୁମାନ ନେଇ ଏକ ଆକାଂକ୍ଷୀ ମେଳା ମଧ୍ୟ ଆୟୋଜନ ହୋଇଥିଲା। ସମସ୍ତ ପ୍ରକାର ଛୋଟ ଛୋଟ ଦୋକାନ ବଜାର ମାନ ଗଢି ଉଠିଥିଲା। ଛାତ୍ର ଛାତ୍ରୀ ମାନେ ଏହି ମେଳା ମାଧ୍ୟମରେ ବିଭିନ୍ନ ସାମଗ୍ରୀ ବିକ୍ରୟ କରିଥିଲେ। ୪ଟି କ୍ଳବ ନିର୍ମାଣ କରାଯାଇ ବିଭିନ୍ନ ଶିକ୍ଷଣୀୟ ଷ୍ଟଲ ମାନ ମଧ୍ୟ ଗଢି ଉଠିଥିଲା। ଆଇଟି ବିଭାଗ ଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ଗଣିତ ଶାସ୍ତ୍ର ଆଦି ବିଭିନ୍ନ ଷ୍ଟଲ ଗୁଡିକ ଉପସ୍ଥିତ ଅତିଥି ମାନେ ବୁଲି ଦେଖିଥିଲେ। ବାଲିମେଳା ସହରରେ ଥିବା ୧୫ ଗୋଟି ସ୍କୁଲର ବହୁ ଛାତ୍ରଛାତ୍ରୀ ନିଜ ନିଜ ଗାଇଡ଼ ଶିକ୍ଷକ ମାନଙ୍କ ସହ ଆସି ଏହି ଷ୍ଟଲ ବୁଲିବା ସାଙ୍ଗ କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାମାଜିକ ବାର୍ତ୍ତା କୁ ନେଇ ଡ୍ରାମା ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ସୁଶିଳା ହିଆଲ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସରୋଜ ନାୟକ। ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କ ନିମନ୍ତେ ଏକ ସେଲଫି ପଏଣ୍ଟ ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଠାରେ କି ଆସିଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ସହାୟକ ଶିକ୍ଷକ ମାନଙ୍କ ଫୋନ ରୁ ଫଟୋ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ଚଳିତ ମାସ ୨୩ ଏବଂ ୨୪ ତାରିଖରେ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ମାଲକାନଗିରି ଠାରେ ଆୟୋଜିତ ହେବାକୁ ଥିବା ବେଳେ ଆଜିର କାର୍ଯ୍ୟକ୍ରମ ରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପିଏମଶ୍ରୀ ଉତ୍ସବରେ ଅଂଶଗ୍ରହଣ କରିବା ସହ ୧୦ ହଜାର ଟଙ୍କା ଉକ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବେହେରା କହିଥିଲେ। ସେହିପରି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଏହି ଉତ୍ସବ ର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ, ସମ୍ମାନିତ ଅତିଥି ଭାବେ ମଣିଶଙ୍କର ମଜୁମଦାର, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ କମିଟି ସଭାପତି ସୋମନାଥ ବାରସେ, ସରପଞ୍ଚ ସନାରୀ ଖିଲ, ପ୍ରକାଶ ମଜୁମଦାର ପ୍ରମୁଖ ମଞ୍ଚାସୀନ ଥିଲେ। ସମଗ୍ର କାର୍ଯ୍ୟକ୍ରମ ପରିଚାଳନା ସମେତ ମଞ୍ଚ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମଞ୍ଜରୀ କୁରୁ। ଭିଜନ ୨୦୩୬ ମସିହା କୁ ଆଖି ଆଗରେ ରଖି ଶିକ୍ଷା ବ୍ୟବସ୍ଥାର ଚିତ୍ର ଭବିଷ୍ୟତରେ କଣ ରହିବ ସେନେଇ ବିଭିନ୍ନ ଷ୍ଟଲ ମାଧ୍ୟମରେ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଜମିଥିଲା।
