ବାରିପଦା, ୧୧/୦୧(ପାଇକପୁଅ) ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଦାନାଦର ଗ୍ରାମରେ ଅଟୋ ମାଲିକ ଓ ଚାଳକଙ୍କ ମଧ୍ୟରେ ବଚସା ଓ ପରେ ମାଲିକଙ୍କ ଆକ୍ରମଣରେ ଚାଳକର ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଘଟିଛି ମୃତକ ଜଣକ ହେଲେ ସେହି ଗ୍ରାମର ରଣଜିତ ଦେହୁରୀ (୩୨) ବୋଲି ଜଣାପଡିଛି। ସୂଚନା ମୂତାବକ ସେହି ଗ୍ରାମର ରଞ୍ଜନ ବେହେରାଙ୍କ ଅଟୋକୁ ରଣଜିତ ଦେହୁରୀ ଚଳାଇ ଦୈନିକ ଯାହା ରୋଜଗାର ହୁଏ ମାଲିକଙ୍କୁ ଦେଉଥିବା ବେଳେ ଆଜି ସନ୍ଧ୍ୟାରେ ଭଡା ରୋଜଗାରକୁ ନେଇଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତି ତର୍କ ହୋଇଥିଲା। ମାଲିକ ଘରେ ଅଟୋକୁ ରଖି ଚାଳକ ରଣଜିତ ଘରକୁ ଯାଇ କିଛି ସମୟ ପରେ ଆସି ମାଲିକ ଘରେ ପହଞ୍ଚିଥିଲା।ରଣଜିତ ସହିତ ପ୍ରଥମେ ରଞ୍ଜନର ମାଆଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା ଓ ରଞ୍ଜନର ମାଆକୁ ଚାଳକ ରଣଜିତ ଠେଲାପେଲା କରିଥିବା ଜଣାପଡିଛି। ମାଆଙ୍କୁ ଚାଳକ ରଣଜିତ ଏଭଳି ବ୍ୟବହାର ଦେଖି ରଞ୍ଜନ ରାଗିଯାଇ ଠେଙ୍ଗାରେ ଚାଳକ ରଣଜିତକୁ ଆକ୍ରମଣ କରିଥିବା ବେଳେ ରଣଜିତ ଗୁରୁତର ହୋଇ ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ରଣଜିତକୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସରେ ଶୀଶା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ରଞ୍ଜନ ଓ ତାଙ୍କ ମାଆକୁ ଅଟକ ରଖିଥିବା ବେଳେ ମାଆଙ୍କୁ ବାରିପଦାସ୍ଥ ୱାନଷ୍ଟପ ସେଣ୍ଟରକୁ ପଠାଇ ତଦନ୍ତ ଜାରୀ ରଖିଛି।
