ବାରିପଦା, ୨୩/୧୨(ପାଇକପୁଅ)ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ମା’ ଓ ମାତୃଭାଷାକୁ ସମ୍ମାନ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।କଠିନ ପରିଶ୍ରମ କରି ସଫଳତା ଲାଭକରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବା ଏବଂ ମୋବାଇଲ ଠାରୁ ନିଜକୁ ଦୁରେଇ ରଖି ପୁସ୍ତକ ପଢିବା ଉପରେ ଗୁରୁତ୍ୱ ଦେଇଥିଲେ। ଚଳିତ ବର୍ଷ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିଥିବା ଶ୍ରେଷ୍ଠ ଛାତ୍ର ଭାବେ ୮ମ ଶ୍ରେଣୀର ପ୍ରତୀକ ସାହୁଙ୍କୁ ଶିରିଶ ଚନ୍ଦ୍ର ମହାପାତ୍ର ସ୍ମାରକୀ ଟ୍ରଫି ମୁଖ୍ୟ ଅତିଥି ଡଃ ପରିଡାଙ୍କ ହାତରେ ପ୍ରଦାନ କରାଯାଇଥିଲା।ତତସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଳ୍ପନା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରବୋଧ କୁମାର ମହାପାତ୍ର ଓ ଅଧ୍ୟକ୍ଷା କବିତାରାଣୀ ସି ବିଦ୍ୟାଳୟର ସଫଳତା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ କଲ୍ୟାଣ କୁମାର ସିନ୍ହା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

