ମାଲକାନଗିରି,୧୮/୧୨ ସୁଧାଂଶୁ ଶେଖର ମହାନ୍ତି)ଘର ପାଇଁ କାଠ ଆଣିବାକୁ ଜଙ୍ଗଲକୁ ଯାଇ ଶବ ହୋଇ ଫେରିଲେ ଯୁବକ। ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ଖାରିଗୁଡା ଗାଁରେ ଘଟିଛି। ମିଳିଥିବା ସୂଚନାନୁଯାୟୀ ଖାରିଗୁଡା ଗାଁର ଦିନେଶ ଲମତା(୨୮) ନାମକ ଯୁବକ ଗତକାଲି ଦିନ ୧୨ ଟା ବେଳେ ଘର ଚାରିପଟେ ବାଡ଼ କରିବା ପାଇଁ ନିଜ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଉଛି ବୋଲି ଘର ଲୋକଙ୍କୁ କହି ଘରୁ ବାହାରିଥିଲେ। ତେବେ ଯୁବକ ଜଣଙ୍କ ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ। ତେଣୁ ଗ୍ରାମବାସୀ ଏବଂ ପରିବାର ଲୋକେ ତାଙ୍କ ଆଖପାଖ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ହେଲେ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳିନଥିଲା। ଖାରିଗୁଡା ଗାଁର ଜଣେ ମହିଳାଙ୍କ କହିବାନୁଯାୟୀ ଗତକାଲି ନଦୀ ପାଖରେ ଥିବା ଏକ ଗଛରେ ହଠାତ୍ ନିଆଁ ଜଳିଲା ଏବଂ କିଛି ସମୟ ପରେ ନିଆଁ ଲିଭି ଯାଇଥିଲା। ନଦୀ କୂଳରେ ଥିବା ଏକ ଗଛକୁ ଲାଗି ବିଦ୍ୟୁତ ତାର ଯାଇଥିବା ବେଳେ ଯୁବକ ଜଣଙ୍କ ଗଛର କାଠ ହାଣୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗଛ ମୂଳରେ ଯୁବକଙ୍କ ଚପଲ ରହିଥିବା ବେଳେ ଟାଙ୍ଗିଆଟି କିଛି ଦୂରରେ ପଡି ରହିଥିବା ଦେଖିବାକୁ ମିଳିଥିଲା। ଏଣୁ ଗଛ ସହ ବିଦ୍ୟୁତ ତାରର ସର୍ଟ ସର୍କିଟ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଆଜି ଦିବା ୨ଟା ସମୟରେ ନିଜ ଘର ପଛପଟେ ଥିବା ଏକ ନଦୀରେ ଯୁବକଙ୍କ ଶବ ଭାସୁଥିବା ଜଣେ ଗ୍ରାମବାସୀ ଦେଖି ଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବାସୀ ସଙ୍ଗେ ସଙ୍ଗେ କୁଡୁମୁଲୁଗୁମ୍ମା ଦମକଳ ବାହିନୀ ଏବଂ ଓର୍କେଲ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଓର୍କେଲ ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚିଥିଲେ। ଦମକଳ ବାହିନୀ କର୍ମଚାରୀ ମାନେ ପାଣିରେ ପଶି ଦୌଡ଼ି, ବାଉଁଶ ସାହାଯ୍ୟରେ ଦୀର୍ଘ ସମୟ ଧରି ପ୍ରୟାସ କରିବା ପରେ ଶେଷରେ ଯୁବକଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ। ଯୁବକଙ୍କ ଶବ ମିଳିଯିବା ପରେ ଖାରିଗୁଡା ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତକ ଦିନେଶର ଦୁଇଟି ପୁଅ ରହିଥିବା ବେଳେ ବଡ଼ ପୁଅକୁ ୪ ବର୍ଷ , ସାନ ପୁଅକୁ ୨ ବର୍ଷ ବୋଲି ଜଣାପଡିଛି। ଦୁଇ ନାବାଳକ ସହ ତାଙ୍କ ସ୍ତ୍ରୀ ସୁମିତ୍ରା ଲମତା ଏବେ ସର୍ବହରା ହୋଇ ଯାଇଛନ୍ତି। ଏହାପରେ ଓର୍କେଲ ପୁଲିସ ଘଟଣାର ପଞ୍ଚନାମା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି ବୋଲି ଏସଆଇ ଅଜିତ ସିଂ ବରିହା ସୂଚନା ଦେଇଛନ୍ତି।

