କୋଣାର୍କ,୧୫/୧୨(ପାଇକପୁଅ)ସର୍ବ ଭାରତୀୟ ଶ୍ରମିକ ସଂଗଠନ ଲେବର ପ୍ରୋଗ୍ରେସିଭ୍ ଫେଡରେଶନର ୪ର୍ଥ ବାର୍ଷିକ ଉତ୍ସଵ ସୋମବାର ଦିନ କୋଣାର୍କ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଫେଡରେଶନର ସର୍ବ ଭାରତୀୟ ସାଂଗଠାନିକ ସମ୍ପାଦକ ଭି ଭେନୁ ସ୍ବାମୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଫେଡରେଶନର ପ୍ରାନ୍ତୀୟ ଉପ ସଭାପତି ତଥା ରାଜ୍ୟ ସଭାପତି ବିରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦ୍ ମଜଦୂର ସଙ୍ଘ ସଭାପତି ଭୁବନାନନ୍ଦ ମହାପାତ୍ର, ଏ ଆଇ ୟୁ ଟି ୟୁ ସି ର ନେତା ନିରଞ୍ଜନ ମହାନ୍ତି, ଏ ଆଇ ସି ସି ଟି ୟୁ ର ନେତା ମହେନ୍ଦ୍ର ପରିଡ଼ା, ଟି ୟୁ ସି ସି ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମ କୋଡ ପ୍ରଚଳନ କରିଛନ୍ତି। ଯାହାକି ଶ୍ରମିକଙ୍କ ସ୍ବାର୍ଥ ବିରୋଧୀ ବୋଲି ଶ୍ରମିକ ନେତା ମାନେ ମତପୋଷଣ କରିଥିଲେ। ଫେଡରେଶନର ରାଜ୍ୟ କାର୍ଯ୍ୟକାରୀ ସଭାପତି ମଧୁସୂଦନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ମାୟାଧର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜେଶ୍ ଲେଙ୍କା, ଋତୁପର୍ଣ୍ଣା ପାତ୍ର, ସୁକାନ୍ତି ସାହୁ, ବିଭୂତି ସାହୁ, ଗଣେଶ୍ୱର ବିଶ୍ବାଳ, ବିପିନି ରାଉତ,ସ୍ଵର୍ଣ୍ଣମୟୀ ରାଉତ, ଉପେନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

