ବାରିପଦା, ୦୯/୧୨(ପାଇକପୁଅ) ମୟୁରଭଞ୍ଜ ଫାଉଣ୍ଡେସନ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୩ ଓ ୧୪ ତାରିଖରେ ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅବସରରେ ବେଲଗଡ଼ିଆ ରାଜପ୍ରାସାଦରେ ମୟୁରଭଞ୍ଜ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଉପରେ ମହାରାଣୀ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ଓଡିଶା ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଏବଂ କଳିଙ୍ଗ ରଗବୀ ଟିମ, କୋଲକାତାର ଫ୍ୟୁଚର ହୋପ ହାର୍ଲିକିନ ଓ ଫ୍ୟୁଚର ହୋପ ଯାକେଲ, କୋଲକାତା ପୋଲିସ, ତାମିଲନାଡୁ ପୋଲିସ, ଝାଡ଼ଖଣ୍ଡ ହାକ୍ସ, ଦିଲ୍ଲୀ ହରିକେନ୍ସ ଓ ମୁମ୍ବାଇ ମାଜିସିଆନ ଏବଂ ମହିଳା ବିଭାଗରେ ଫ୍ୟୁଚର ହୋପ, କୋଲକାତା ପୋଲିସ, କଳିଙ୍ଗ ରଗବୀ, ସରସ୍ବତୀପୁର ସିଲିଗୁରି, ଆସାମ, ବାରିପଦାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଅଂଶଗ୍ରହଣ କରିବେ ବୋଲି ସହ ଆୟୋଜକ ଦିବ୍ୟ ରଞ୍ଜନ ଦାସ ପ୍ରକାଶ କରିଛନ୍ତି।ପ୍ରତ୍ୟେକ ଦିନ ସକାଳ ୯ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ କ୍ଲବରେ ବହୁ ଅନ୍ତର୍ଜାତୀୟ ଓ ବିଦେଶୀ ଖେଳାଳିଙ୍କ ଖେଳ ଦେଖିବାର ସୁଯୋଗ ମିଳିବ।ମୟୁରଭଞ୍ଜ ଆଥଲେଟିକ ଆସୋସିଏସନର ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଟୁର୍ଣ୍ଣାମେଣ୍ଟର ବହୁଳ ପ୍ରଚାର ଓ ପ୍ରସାର ଉପରେ ଆଲୋକପାତ କରିଥିବା ବେଳେ, ମୟୁରଭଞ୍ଜ ଫାଉଣ୍ଡେସନର ସଦସ୍ୟ ବିଭୁଦତ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ।

