ବାରିପଦା,୦୮/୧୨(ପାଇକପୁଅ) ସ୍ଥାନୀୟ କନଭେଣ୍ଟ ସ୍କୁଲ ଛକ ନିକଟସ୍ଥ ଲେଟ କଟ କ୍ଲବ ଆନୁକୂଲ୍ୟରେ ୩୧ ତମ ସର୍ବଭାରତୀୟ ଟି-ଟ୍ୱେଣ୍ଟି ଡ଼ିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି। ଏହି ଅବସରରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ସାଧାରଣ ସମ୍ପାଦକ ଦୀପକ କୁମାର ଦାଶ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ଲକ୍ଷ୍ମୀଧର ନାୟକ, ବରିଷ୍ଠ ସଦସ୍ୟ ବିଜୟ କୁମାର ରାୟ, ନରୋତ୍ତମ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପଲବିନ୍ଦର ସିଂହ, ଅଜୟ ସିଂହ, ବିନୟ ଷଡ଼ଙ୍ଗୀ, ଦିବ୍ୟ ଲୋଚନ ଦାସ, ଗୌରବ ମହାନ୍ତି, ସୁବ୍ରତ ଲେଙ୍କା, ସମରଜିତ ଗୋସ୍ୱାମୀ, ମାନସ ମହାନ୍ତ, ରୋହିତ ଜେନା, ଦିପାନ ମାଈତି, ଶାନ୍ତନୁ କର ଉପସ୍ଥିତ ଥିଲେ।୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖଡ଼ଗପୁରର ସେର୍ସା, କୋଲକାତାର ଏଲଆରଏସ ଏକାଡେମୀ, ଆନ୍ଧ୍ରପ୍ରଦେଶର ଇଷ୍ଟକୋଷ୍ଟ ରେଲୱେ, ରାଞ୍ଚିର ସେର୍ସା, ଝାଡ଼ଖଣ୍ଡର ଟାଟା ଲିଓ, ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରି ୱରିୟାର୍ସ, ସମ୍ବଲପୁରର ଏମଏମସିସି, ଭୁବନେଶ୍ୱରର ଟିସିସି, ରାଉରକେଲାର ଆରସିଏ ଏବଂ ବାରିପଦାର ଡିଆରକେ ସମେତ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଛନ୍ତି।ପ୍ରତ୍ୟେକ ଦିନ ସକାଳ ୯ଟା ରୁ ଖେଳ ଆରମ୍ଭ ହେବା ସହ ୨ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ, ୧୪ ତାରିଖ ଦିନ ୧୨ ଟା ବେଳେ ଫାଇନାଲ ମ୍ୟାଚଅନୁଷ୍ଠିତ ହେବ। ପୁରସ୍କାର ସ୍ୱରୂପ ଚମ୍ପିୟାନ ଦଳକୁ ୧ ଲକ୍ଷ ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୭୦ ହଜାର ଓ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାଯାଇଛି।

