ବାରିପଦା, ୦୮/୧୨(ପାଇକପୁଅ)ଜଣେ କଲେଜ ଛାତ୍ରଙ୍କ ଛୁରା ମାଡ଼ରେ ଅନ୍ୟଜଣେ କଲେଜ ଛାତ୍ର ଗୁରୁତର ଆହତ ହୋଇ ଥିବାର ଖବର ମିଳିଛି। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ବି.ବି ମହାବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।ଗୁରୁତର ଛାତ୍ର ଜଣକ ହେଲେ ପ୍ରହଲ୍ଲାଦ ବିନ୍ଧାଣି।ସେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର।ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ଅଭିଯୁକ୍ତ ଛାତ୍ର ଜଣକ ହେଲେ ଯୁକ୍ତଦୁଇ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର।ତେବେ କୁଳିଅଣା ଥାନା ଅଧିକାରୀ ପ୍ରକାଶ ଗୋସ୍ୱାମୀଙ୍କ ସୂଚନା ମୁତାବକ, ପ୍ରେମ ବ୍ୟାପରକୁ କେନ୍ଦ୍ର କରି ଏହି ଛୁରା ମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଯୁକ୍ତ ଦୁଇ କଳା ବିଭାଗରେ ପଢ଼ୁଥିବା ଛାତ୍ର ସେହି କଲେଜର ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲେ।ସମ୍ପର୍କ ଭାଙ୍ଗିଯିବା ପରେ ଉକ୍ତ ଛାତ୍ରୀ ଜଣକ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଆଉ ଜଣକ ସହିତ ବନ୍ଧୁତା କରିଥିଲେ।ଫଳରେ ପ୍ରେମରେ ବିଫଳ ହୋଇଥିବା ଛାତ୍ର ଜଣକ ଉତ୍ତ୍ୟକ୍ତ ହୋଇ ଆଜି ଶ୍ରେଣୀ ଗୃହରେ ପ୍ରହଲ୍ଲାଦକୁ ଧାରୁଆ ଛୁରିରେ ନୃଶଂସ ଭାବରେ ଆକ୍ରମଣ କରିଥିଲା।ଛୁରା ମାଡ଼ରେ ପ୍ରହଲ୍ଲାଦଙ୍କ ପେଟରେ ଛୁରିଟି ଲାଗିଥିଲା।ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ଏହା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାର ଜଣାଯାଇଛି। କଲେଜ କର୍ତ୍ତୃପକ୍ଷ ଏନେଇ କୁଳିଅଣା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ କଲେଜରେ ପହଁଛି ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବାର ଜଣାଯାଇଛି।ସେପଟେ ଉତ୍ତ୍ୟକ୍ତ ଗ୍ରାମବାସୀ କଲେଜ ଗେଟରେ ତାଲା ପକାଇ ଦେଇଥିଲେ।ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ କଲେଜ ପରିସରରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

