କୋଣାର୍କ,୦୮/୧୨(ପାଇକପୁଅ)କୋଣାର୍କ – ଚନ୍ଦ୍ରଭାଗା ମୁଖ୍ୟ ରାସ୍ତାର ହେଲିପ୍ୟାଡ ସମ୍ମୁଖରେ ଥିବା ଏକ ହୋଟେଲକୁ ସୋମବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ପ୍ରାପ୍ତ ସୂଚନାରୁ ଜଣାପଡେକି କୋଣାର୍କ – ପୁରୀ ଜାତୀୟ ରାଜପଥ ପାର୍ଶ୍ଵର ହେଲିପ୍ୟାଡ଼ ସମ୍ମୁଖରେ ଥିବା ୬ଲେନ ଢ଼ାବାକୁ ଗୋପ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଉଛେଦ କରାଯାଇଅଛି। କୋଣାର୍କ ମୌଜାର ଖାତା ନଂ ୪୧୫ , ପ୍ଲଟ ନଂ୧୬୦୦ ଯାହାକି ଅନାବାଦୀ (ବାଲିଚର) ହୋଇଥିବା ବେଳେ ଏହି ସବୁ ଜାଗା ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଆସୁଥିଲା।ଏହି ପ୍ଲଟରେ ଥିବା ଅନେକ ସରକାରୀ ଜାଗା ଜବରଦଖଲ ହୋଇଥିବା ବେଳେ ସୋମବାର ପୂର୍ବାହ୍ନରେ ୬ ଲେନ ଢାବାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି।ହେଲେ ସେହି ସମାନ ପ୍ଲଟରେ ଥିବା ଆଉ କିଛି ଜବର ଦଖଲ କାରୀଙ୍କୁ କେବେ ଉଚ୍ଛେଦ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କୋଣାର୍କ ଅଞ୍ଚଳରେ ଅନେକ ମୁଷ୍ଟିମେୟ, ରାଜନୈତିକ ବ୍ୟକ୍ତି ସରକାରୀ ଜାଗାକୁ ଜବର ଦଖଲ କରି ସ୍ଥାୟୀ ଗୃହ ନିର୍ମାଣ କରୁଥିବା ବେଳେ ନୋଟାରୀ ମାଧ୍ୟମରେ ବିକ୍ରୀ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏପରି କି ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନକୁ ଜବର ଦଖଲ କରି ତା ଉପରେ ଗୃହ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। କୋଣାର୍କ ମୌଜା ସମେତ ମାଧିପୁର ମୌଜାରେ ଅନେକ ସରକାରୀ ଜାଗା ଜବର ଦଖଲକାରୀଙ୍କ କବଜ୍ଜାରେ ରହିଥିବା ବେଳେ ଏହା କେବେ ଉଚ୍ଛେଦ କରାଯିବ ବୋଲି ସାଧାରଣରେ ଅଭିଯୋଗ ହେଉଛି।କେବଳ ଉକ୍ତ ହୋଟେଲକୁ ଉଚ୍ଛେଦ କରି ପ୍ରଶାସନ ବାହାବାହା ନେବ ନା ଆଗକୁ ଜବର ଦଖଲ କରିଥିବା ଅନ୍ୟ ମାନଙ୍କୁ ଉଚ୍ଛେଦ କରି ସରକାରୀ ଜାଗାକୁ ମୁକ୍ତ କରିବ ତାହା ସମୟ କହିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଢାବା ଉଚ୍ଛେଦ ସମୟରେ ଗୋପ ଅତିରିକ୍ତ ତହସିଲଦାରଙ୍କ ସମେତ କୋଣାର୍କ ରାଜସ୍ବ ନିରୀକ୍ଷକ ଏବଂ କୋଣାର୍କ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।

