ମାଲକାନଗିରି,୦୮/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାର ଡୁଡୁମେଟଲା ନିକଟ ଦେଇ ଯାଇଥିବା ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ନେଇ ଆଜିକୁ ୫ ଦିନ ବିତିଯାଇଥିବା ବେଳେ ଦୋଷୀ ଙ୍କୁ ଏଯାଏଁ ପୋଲିସ ଧରିବାରେ ସକ୍ଷମ ହୋଇ ନଥିବାରୁ ଏହି ଘଟଣା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ଏବଂ ବିଏସଏଫ ମୃତୟନ ହୋଇଥିଲେ ସୁଦ୍ଧା ଉକ୍ତ ଘଟଣାକୁ ନେଇ ରାଖେଲଗୁଡା ଗ୍ରାମ ଓ ଏମଭି ୨୬ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିବା ସହ ମହିଳାଙ୍କ ମୁଣ୍ଡ ମିଳି ନଥିବା ଓ ଏହି ହତ୍ୟା କାଣ୍ଡ ପଛରେ କିଏ ରହିଛି ଏହାକୁ ନେଇ ଏହି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ରବିବାର ଉତ୍ୟକ୍ତ ଗ୍ରାମବାସୀ ଯାଇ ଏମଭି-୨୬ ଗ୍ରାମ ଜାଳିଥିବା ହେତୁ ଆଜି ମାଲକାନଗିରି ଠାରେ ବଙ୍ଗୀୟ ସମାଜର ୧୦,୦୦୦ ରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ବିଭିନ୍ନ ନାରା ଦେଇଛନ୍ତି। ମାଲକାନଗିରି ସ୍ଥିତ ଏମଭି-୩ ଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବଙ୍ଗାଳି ସମ୍ପ୍ରଦାୟ ବିରୁଦ୍ଧରେ ହେଉଥିବା ଅତ୍ୟାଚାର କୁ ନେଇ କାହିଁକି ଜିଲ୍ଲା ଏବଂ ପୋଲିସ ପ୍ରଶାସନ ଚୁପ ରହିଛି ବୋଲି ସେନେଇ ଅଭିଯୋଗ କରିଥିଲେ।

ସେମାନଙ୍କ ସୁରକ୍ଷା ଦାବିରେ ଏହି ବିଶାଳ ରାଲି ଆୟୋଜିତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଏମଭି-୨୬ ଗ୍ରାମରେ ଆଜି ଦିନ ୧୧ଟା ସମୟରେ ପୁନଃ କିଛି ସମୟ ପାଇଁ ରାଖେଲଗୁଡା ଏବଂ ଏହାର ଆଖପାଖ ଅଞ୍ଚଳର ୫୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଜୋର ଜବରଦସ୍ତ ଗ୍ରାମରେ ପଶି ସମସ୍ତ ଘର ନିଆଁ ଲଗାଇ ଦେଇଥିଲେ। ସମସ୍ତ ଆସବାବପତ୍ର ଭଙ୍ଗାରୁଜା ସହ ଜାଳି ଦେଇଥିଲେ। ରବିବାର ଅଥବା ଏତେ ପରିମାଣର ଘର ଜଳି ନଥିବା ବେଳେ ଆଜି ସମସ୍ତ ଘର ଜଳି ପୋଡି ପାଉଁଶ କରି ଦେଇଛନ୍ତି। ଗ୍ୟାସ ସିଲିଣ୍ଡର ଫାଟି କିଛି ଘରର ଛାତ ମଧ୍ୟ ଭୁଷୁଳି ପଡିଛି। ଘଟଣା ସ୍ଥଳରେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ର ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ଗ୍ରାମରେ କୌଣସି ଲୋକେ ନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ତେବେ କିଛି ସମୟ ଜଳାପୋଡା କରିବା ପରେ ପୁନଃ ଫେରି ଯାଇଥିଲେ ଉତ୍ୟକ୍ତ ହୋଇଥିବା ଗ୍ରାମବାସୀ। ଅଞ୍ଚଳରେ ପୁଣି ଶାନ୍ତି ଫେରିଥିବା ବେଳେ ଘଟଣା ସ୍ଥଳରେ ବିଜେଡି ନେତା ପ୍ରଦୀପ ମାଝୀ ପହଁଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ। ଏମଭି-୨୬ ଗ୍ରାମ ପରିଦର୍ଶନ କରିଥିଲେ। ଯାହା ଘଟିଯାଇଛି ତାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନ ଯଦି ସଠିକ ପଦକ୍ଷେପ ନେଇଥାନ୍ତା ତେବେ ଆଜି ଏହିଭଳି ସ୍ଥିତି ଉପୁଜି ନଥାନ୍ତା ବୋଲି ପ୍ରକାଶ କରିଛନ୍ତି। ଏହା ସହ ମହିଳାଙ୍କ ମୃତ୍ୟ ଘଟଣା କୁ ନେଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଯଦି ଚାହିଁଥାନ୍ତେ ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଥାନ୍ତେ। କିନ୍ତୁ ପୋଲିସ ପ୍ରଶାସନ କୁ ଗ୍ରାମକୁ ପଠାଇ ସରକାର ତଦନ୍ତ କୁ ଗୁରୁତ୍ୱ ନ ଦେଇଥିବା ହେତୁ ଆଜି ଏପରି ସ୍ଥିତି ଉପୁଜିଛି। ଆଗକୁ ଯଦି ପୋଲିସ ପ୍ରଶାସନ ଏବଂ ସରକାର ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରେ ତେବେ ଆଗକୁ ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ। ଘଟଣା ସ୍ଥଳରେ ସ୍ଥିତି କୁ ଆୟତ୍ତ ପରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ପହଁଚି ସ୍ଥିତିର ତଦାରଖ କରିଛନ୍ତି। ଉତ୍ୟକ୍ତ ଗ୍ରାମବାସୀ ଏବଂ ପୋଲିସ ର ଧସ୍ତାଧସ୍ତି ରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ୪ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ଆଜି ସନ୍ଧ୍ୟା ୬ଟା ରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି।

