ମାଲକାନଗିରି, ୦୩/୧୨ (ସୁଧାଂଶୁ ଶେଖର ମହାନ୍ତି) ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ କବି ସମ୍ମିଳନୀ ଆୟୋଜନ କରାଯିବ। ଏଥି ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାରସ୍ୱତ ସାଧକ ମାନଙ୍କୁ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ୮ ଡିସେମ୍ବର ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଠାରେ ଇଚ୍ଛୁକ କବି ନିଜ ନାମ ପଞ୍ଜିକରଣ କରାଇ ନେବେ। ଡିସେମ୍ବର ୧୦ ରେ ସଂସ୍କୃତି ଭବନ ଠାରେ ଅପରାହ୍ନ ୨ ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ବୈଠକରେ ଡିପିଏମୟୁ ଉପ ନିର୍ଦ୍ଦେଶକ ଗୋଲକ ଦଳେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଦସ୍ୟ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ପ୍ରକାଶ ପଟ୍ଟନାୟକ, ରତ୍ନାକର ଦାସ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଓ ଦୁର୍ଯ୍ୟଧନ ହନ୍ତାଳ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ।
ସେହିପରି ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବର ପ୍ରଚାର ପ୍ରସାର ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଙ୍କ ଅଧ୍ୟକ୍ଷତା ରେ ଗଣମାଧ୍ୟମ ପ୍ରତିନିଧି ଏବଂ କମିଟି ସଦସ୍ୟଙ୍କ ସହ ଆଲୋଚନା କରାଯାଇଛି । ମହୋତ୍ସବର ପ୍ରଚାର ପ୍ରସାର ପାଇଁ ଗୋଟିଏ ରଥ ସମଗ୍ର ଜିଲ୍ଲା ଭ୍ରମଣ କରିବ। ଏଥିରେ ସ୍ବାସ୍ଥ୍ୟ ଓ କୃଷି ବିଭାଗ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ପ୍ରତିଯୋଗିତା କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହୋତ୍ସବକୁ କିଭଳି ବ୍ୟାପକ ଓ ସୁଦୂର ପ୍ରସାରି କରି ପାରିବା ସେଥି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିରେ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳିକା ଡଃ ମୌସୁମୀ ମିଶ୍ର, ଆସିଷ୍ଟାଣ୍ଟ ମ୍ୟାନେଜର କ୍ୱାଲିଟି ସଚିନ୍ ଦେବ ଗୌଡ, କୃଷି ବିଭାଗରୁ ଆଶିଷ ଦୋରା ଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

