ଯୋଡା, ୦୧/୧୨(ପାଇକପୁଅ)ଏଡ୍ସ ରୋଗ ବିଷୟରେ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରି ଏହି ରୋଗ ର ନିରାକରଣ ତଥା ମୂଳୋତ୍ପାଟନ ପାଇଁ ଟାଟା ଷ୍ଟିଲ ଯୋଡାଠାରେ ସୋମବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମଗୁଡିକ ଟାଟା ମେନ ହସ୍ପିଟାଲ, ଯୋଡା, ଖଣ୍ଡବନ୍ଧ ଲୌହ ଖଣି, ଯୋଡା ଇଷ୍ଟ ଲୌହ ଖଣି, ବିଚାକୁଣ୍ଡି, ବାମେବାରି ଲୌହ ଖଣି ଏବଂ ନିକଟସ୍ଥ ବିଲେଇପଦା,ସ୍ପଞ୍ଜ କାରଖାନା ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଆୟୋଜିତ ହୋଇଯାଇଥିଲା ଯେଉଁଥିରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏବଂ ଅଧିକାରୀ ଉପସ୍ଥିତ ଥିଲେ।
ଟାଟା ମେନ ହସ୍ପିଟାଲ, ଯୋଡା, ର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ତାପସ ଷଡଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଥିଲା। ଏଥିରେ ସୁରକ୍ଷିତ ଯୌନ ସମ୍ପର୍କ ଠାରୁ ଆରମ୍ଭ କରି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଉଚିତ୍ ସମୟରେ ଚିକିତ୍ସା ସମ୍ବନ୍ଧରେ ସମସ୍ତ ଉପସ୍ଥିତ କର୍ମଚାରୀ ଏବଂ ଅଫିସର ମାନଙ୍କୁ ବୁଝା ଯାଇଥିଲା।
ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ, ସେମାନଙ୍କ ପରିବାର ଏବଂ ଛୋଟ ପିଲା ମାନେ କିପରି ସୁଲଭ ଏବଂ ସମୟ ଅନୁସାରେ ଚିକିତ୍ସା ପାଇପାରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା।
ଏହି ରୋଗର ଉପଚାର ସହିତ, ଏଥିସହିତ ଜଡିତ ଅନ୍ଧବିଶ୍ୱାସ ଗୁଡିକର କିପରି ମୂଳୋତ୍ପାଟନ ହୋଇପାରିବ ସେ ସଂକ୍ରାନ୍ତରେ ମଧ୍ୟ ଆଲୋକପାତ କରାଯାଇଥିଲା।
ଏତଦବ୍ୟତୀତ, ପାଠ୍ୟକ୍ରମ ରେ ଯୌନଶିକ୍ଷା, ସଚେତନତା କାର୍ଯ୍ୟକ୍ରମ, ରୋଗ ସମ୍ବନ୍ଧୀୟ ପରାମର୍ଶ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା।ଏଭଳି କାର୍ଯ୍ୟକ୍ରମ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।

