ବାରିପଦା, ୨୬/୧୧ (ପାଇକପୁଅ)ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବାରିପଦାର ଐତିହାସିକ ଛଉ ପଡିଆ ଠାରେ ଅଷ୍ଟମ ବାର୍ଷିକ ମୟୁରଭଞ୍ଜ ମହୋତ୍ସବ ଅନୁଷ୍ଠିତ ହେବ।ଏନେଇ ଆଜି ବାରିପଦା ଛଉ ପଡିଆ ଠାରେ ମହୋତ୍ସବ କମିଟିର ସଭାପତି ଅସିତ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର ସଭାପତି ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, କର୍ମକର୍ତ୍ତା ସଂଜୀବ ଦ୍ଵିବେଦୀ, ବିପ୍ଳବ ବୁଗୁଡେଇ, କାଶୀନାଥ ରଣା, ତରୁଣ ମହାନ୍ତି, ଅମିତାଭ ସାହୁ, ନିମାଇଁ ତ୍ରିପାଠୀ, ରାକେଶ ସିଂ, ଜିତେନ୍ଦ୍ର ହେମ୍ବ୍ରମ, ସୁଜିତ ମହାନ୍ତି, ପିଣ୍ଟୁ ମାଇତି, ରାକେଶ ବେହେରା, ସତ୍ୟମ ପାଣି, ରାକେଶ ମହାନ୍ତି, ରାଜେଶ ଦାଶ ପ୍ରମୁଖ ଯୋଗଦେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।ପ୍ରଥମ ଦିନ ଜିଲ୍ଲାର ବିଭିନ୍ନ ଲୋକକଳାକାରଙ୍କ ସହ ବହିରାଗତ କଳାକାର ମାନଙ୍କୁ ନେଇ ପାରମ୍ପାରିକ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ଡିସେମ୍ବର ୦୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଛଉ ପଡିଆରେ ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାର କଳାକାର ମାନଙ୍କ ସହିତ ରାଜ୍ଯ ତଥା ରାଜ୍ଯ ବାହାର କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସିନେ ଜଗତର ବହୁ ନାମୀଦାମୀ କଳାକାର, ବଲିଉଡର ସୁନାମଧନ୍ୟ ଗାୟିକ ଗାୟିକା ପ୍ରମୁଖ ଯୋଗ ଦେବେ ବୋଲି ଜଣାଯାଇଛି।ମହୋତ୍ସବରେ ୩ଦିନ ସ୍ଵତନ୍ତ୍ର ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ, ୩ଦିନ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ, ୨ଦିନ କୁଡୁମାଲି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨ଦିନ ବଲିଉଡ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସେହିପରି ଜିଲ୍ଲାସ୍ତରୀୟ ଫୁଟବଲ, ଲାଖବିନ୍ଧା ଓ ରିଲସ ପ୍ରତିଯୋଗିତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ।ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇ ମୟୁରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ, କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନି ସହିତ ପାରମ୍ପାରିକ ଖାଦ୍ୟ ମେଳା ମଧ୍ୟ ଅନୁଷ୍ଠିତ ହେବ. ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ସ୍ଥିତ ଖଡଖାଇ ବନ୍ଧ ଆକୃତିର ତୋରଣ ମୁଖ୍ୟ ଆକର୍ଷଣ ସାଜିବ। ସେହିପରି ବିଭିନ୍ନ ସନ୍ଧ୍ୟାରେ ଓଡ଼ିଆ, ସାନ୍ତାଳୀ, ଝୁମର ପ୍ରସିଦ୍ଧ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବାବେଳେ, ୭ ତାରିଖରେ ଓଲିଉଡ଼ ତାରକା ପପୁ ପମପମ, କଣ୍ଠଶିଳ୍ପୀ ଇରା ମହାନ୍ତି, କୁମାର ବାପି ଓ ସ୍ବରାଜ ବାରିକଙ୍କ ସହ ଆସାମର ବିହୁ ଡାନ୍ସ ପ୍ରଦର୍ଶିତ ହେବ ଏବଂ ୧୦ ତାରିଖ ଉଦଯାପନୀ ସନ୍ଧ୍ୟାରେ ବଲିଉଡ ନାୟିକା ମୈନେ ପ୍ୟାର କିଆର ନାୟିକା ଭାଗ୍ୟଶ୍ରୀଙ୍କ ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ରୂପ କୁମାର ରାଠୋର ଏବଂ ସୁନାଲି ରାଠୋର କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଜଣାଯାଇଛି।

