ମାଲକାନଗିରି,୨୪/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟର ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଅଭିନବ ଉପାୟରେ ପୋଷ୍ଟ କାର୍ଡ ମାଧ୍ୟମରେ ନିଜର ସମସ୍ୟା କୁ ଲିଖିତ ଭାବେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ତେବେ ଏହି କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ସ୍ୱଳ୍ପ ବେତନରେ ସେମାନେ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ଦୁଃଖ କେବେ ବୁଝି ନାହାନ୍ତି। କିନ୍ତୁ ସରକାରଙ୍କ ଜଣେ ସ୍ଥାୟୀ କର୍ମଚାରୀ ଙ୍କ ଠାରୁ ଏହି ଆଉଟସୋର୍ସିଙ୍ଗ କର୍ମଚାରୀ ଟି କାର୍ଯ୍ୟାଳୟ ରେ ଦିନ ତମାମ ଖଟେ। ତଥାପି ସରକାର ସେମାନଙ୍କ ଦୁଃଖ ଶୁଣିବା ବଦଳେ ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପ୍ରାୟ ୬୫ ଭାଗ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଛଟେଇ କରାଯାଇଛି। ତେଣୁ ଏହି କର୍ମଚାରୀ ମାନଙ୍କ ପାଇଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ତେବେ ଗତ ମାର୍ଚ୍ଚ ମାସରେ ନିଜର ନାର୍ଯ୍ୟ ଦାବି ନେଇ ରାଜ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଭୁବନେଶ୍ୱର ଠାରେ ଧାରଣାରେ ବସିଥିଲା। ବର୍ତ୍ତମାନ ର ସରକାର ସେମାନଙ୍କୁ ପ୍ରତିଶୃତି ଦେବା ପରେ କର୍ମଚାରୀ ମାନେ ଧାରଣରୁ ମଧ୍ୟ ଓହରିଥିଲେ। ବର୍ତ୍ତମାନ ସୁଦ୍ଧା କିନ୍ତୁ କର୍ମଚାରୀ ମାନଙ୍କ ଦୁଃଖ ବୁଝିଲାନି ରାଜ୍ୟ ସରକାର। ତେଣୁ ଆଜି ମାଲକାନଗିରି ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ଏହି ଅଭିନବ ଉପାୟରେ ପୋଷ୍ଟ କାର୍ଡ ମାଧ୍ୟମରେ ନିଜର ସମସ୍ୟା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯାଇଛି। ଆଜି ପାଖାପାଖି ୮୦୦ ପୋଷ୍ଟ କାର୍ଡ ପୋଷ୍ଟ ଅଫିସରେ ଦିଆଯାଇଥିବା ଜଣାପଡିଛି। ତେବେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଯଦି ଏହି ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ସମସ୍ୟା ର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ବାଧ୍ୟହୋଇ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ସଭାପତି ବିକ୍ରମ ରାଉତ ସୂଚନା ଦେଇଛନ୍ତି। ଆଜିର ଏହି ପ୍ରତିବାଦରେ ସଙ୍ଘ ଜିଲ୍ଲା ସମ୍ପାଦକ ପ୍ରମୋଦ ବାଜିଙ୍ଗ, ଶ୍ୟାମ ସଗରିଆ, ଗୌତମ ଦେବାନନ୍ତଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

