ମାଲକାନଗିରି, ୨୩/୧୧ (ସୁଧାଂଶୁ ଶେଖର ମହାନ୍ତି)ସଡ଼କ ଦୁର୍ଘଟଣାରେ ଆହତ ଏକ ହେଟା ବାଘକୁ ଚାଷଜମିରୁ ଉଦ୍ଧାର କରି ଗୁରୁତର ଭାବେ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ନିମନ୍ତେ ନବରଙ୍ଗପୁର ବନ୍ୟସଂରକ୍ଷଣ ଗୃହକୁ ପଠା ଯାଇଥିବା ସୂଚନା ମିଳିଛି। ରବିବାର ଅପରାହ୍ନରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣି ପଞ୍ଚାୟତସ୍ଥ ପୂଜାରୀମୁଣ୍ଡା ରାସ୍ତା କଡ଼ରେ ଥିବା ଚାଷ ଜମିରେ ଏକ ହେଟା ବାଘ ଆହତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବାର କିଛି ଗ୍ରାମବାସୀ ଦେଖି ବନ ବିଭାଗକୁ ଫୋନ କରିଥିଲେ। ଫୋନ ପାଇ ସଙ୍ଗେ ସଙ୍ଗେ ମାଲକାନଗିରି ବନ ବିଭାଗ ରେଞ୍ଜର ରମେଶ ଚନ୍ଦ୍ର ରାଉତ, ଫରେଷ୍ଟର ଶିବଜିତ ମଣ୍ଡଳ, ବନରକ୍ଷୀ ବଳଭଦ୍ର ସାହୁ, ପାଣ୍ଡ୍ରିପାଣି ବିଟ ର ବନକର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ହେଟା ବାଘଟି ଆହତ ହୋଇ ଘାଇଲା ହୋଇଥିବାରୁ ପ୍ରଥମେ ସମସ୍ତଙ୍କୁ କାମୁଡ଼ିବା ପାଇଁ ଗୋଡ଼ାଇଥିଲା। ଦୀର୍ଘ ୨ ଘଣ୍ଟାର କସରତ ପରେ କୌଶଳ କ୍ରମେ ହେଟା ବାଘ ଟିକୁ ଜାଲ ପକାଇ ଉଦ୍ଧାର କରିବାରେ ସଫଳ ହୋଇଥିଲା ବନ ବିଭାଗ। ହେଟା ବାଘଟିକୁ ଦେଖିବା ପାଇଁ ରାସ୍ତାରେ ଶତାଧିକ ଲୋକଙ୍କ ଭୀଡ଼ ଲାଗିଥିଲା। ଉଦ୍ଧାର ହେଟା ବାଘଟିକୁ ସଙ୍ଗେ ସଙ୍ଗେ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଅଣ୍ଟା ଉପରେ ମାଡ଼ ହୋଇ ଯାଇଥିବାରୁ ହେଟା ବାଘଟି ସିଧା ହୋଇ ଚାଲି ପାରୁନଥିବାରୁ ଆଜି ଅପରାହ୍ନରେ ତାକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଛି। ହେଟା ବାଘଟିର ବୟସ ପ୍ରାୟ ୧୨ ରୁ ୧୩ ବର୍ଷ ହେବ। ଓଜନ ୫୨ କେଜି ଅଛି ବୋଲି ରେଞ୍ଜର ରମେଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।

