ମାଲକାନଗିରି,୨୨/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ସଦର ପଞ୍ଚାୟତରେ ରହିଛି ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ। ତେବେ ବାଲିମେଳା ସହର ତଥା ଏହାର ଆଖପାଖ ଅଞ୍ଚଳରେ ନାହିଁ କୌଣସି ସରକାରୀ କି ବେସରକାରୀ ମହାବିଦ୍ୟାଳୟ। ଏଥିସହ ବାଲିମେଳା ସହରରୁ ବାଲିମେଳା ମହାବିଦ୍ୟାଳୟ ର ଦୂରତା ୬ କିମି। ତେବେ ମହାବିଦ୍ୟାଳୟ କୁ ଯିବା ନିମନ୍ତେ ମହାବିଦ୍ୟାଳୟ ପକ୍ଷରୁ କୌଣସି ସ୍ୱତନ୍ତ୍ର ବସ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଯାତାୟତ ର ଏକମାତ୍ର ମାଧ୍ୟମ ପାଲଟିଛି ରାଜ୍ୟ ସରକାରଙ୍କ ଏହି ଓଏସଆରଟିସିର ମୁଖ୍ୟମନ୍ତ୍ରୀ ବସସେବା। କେବଳ ବାଲିମେଳା ସହର ନୁହେଁ ପ୍ରତ୍ୟେକ ଦିନ କୋରୁକୋଣ୍ଡା, କାମବେଡା, ପୋଟରେଲ, ଏମଭି-୫୧, ଏମଭି-୫୨, ଏମଭି-୩୪, ଏମଭି-୩୩, ପ୍ରମିଳାପଦର, ଏମଭି-୩୦, ଏମଭି-୨୯, ପୁରୁଣା ଚିମଟାପାଲ୍ଲୀ, କତାପାଲ୍ଲୀ, ଏମଭି-୧୨୦, ଏମଭି-୪୯, ମାରିବେଡା ଏଭଳି ବହୁ ଅଂଚଳରୁ ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟ କୁ ପାଠ ପଢିବା ନିମନ୍ତେ ଆସୁଥିବା ବେଳେ ସମସ୍ତଙ୍କ ନିକଟରେ ଯାନବାହନ ର ସୁବିଧା ରହୁନାହିଁ। ଏଥିସହ ଅଟୋ ମଧ୍ୟ ଉକ୍ତ ଅଞ୍ଚଳ କୁ ଛାତ୍ରଛାତ୍ରୀ ମାନଙ୍କ କଲେଜ ସମୟରେ ଚଳାଚଳ କରେ ନାହିଁ। ତେଣୁ ଓଏସଆରଟିସି ର ଏହି ମୁଖ୍ୟମନ୍ତ୍ରୀ ବସ ସେବା ସବୁ ଅଂଚଳ କୁ ଯାତାୟତ କରୁଥିବା ଦ୍ୱାରା ଛାତ୍ରଛାତ୍ରୀ ମାନେ କେବଳ ମାତ୍ର ୫ ଟଙ୍କା ଦେଇ ସୁବିଧା ରେ ଯାତାୟତ କରି ପାରୁଥିବା କହିଛନ୍ତି। କିନ୍ତୁ ଛାତ୍ରଛାତ୍ରୀମାନଙ୍କ ମହାବିଦ୍ୟାଳୟ ଛୁଟି ହେବା ସମୟରେ ଏହି ବସ ଆସୁ ନଥିବା ହେତୁ ବହୁ ସମୟରେ ନାନାଦି ସମସ୍ୟା ର ସମ୍ମୁଖୀନ ମଧ୍ୟ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ। ଯଦି ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କିଛି ମୁଖ୍ୟମନ୍ତ୍ରୀ ବସସେବା କୁ ଉକ୍ତ ରୋଡ଼ ରେ ଛାତ୍ରଛାତ୍ରୀ ମାନଙ୍କ କଲେଜ ଛୁଟି ସମୟରେ ଆସନ୍ତା ତାହେଲେ ଆହୁରି ମଧ୍ୟ ଅଧିକ ଉପକୃତ ହୋଇପାରିଥାନ୍ତେ ବୋଲି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କହିଛନ୍ତି। ସୂଚନା ଥାଉ କି ବାଲିମେଳା ସହରର ପଢ଼ୁଥିବା ଛାତ୍ରଛାତ୍ରୀ ପୂର୍ବେ ଅଟୋ ମାଧ୍ୟମରେ ଅଧିକ ଟଙ୍କା ଦେଇ ମହାବିଦ୍ୟାଳୟ ପ୍ରତ୍ୟେକ ଦିନ ଯାଆସ କରୁଥିଲେ କିନ୍ତୁ ବର୍ତ୍ତମାନ ଏହି ଓଏସଆରଟିସି ମୁଖ୍ୟମନ୍ତ୍ରୀ ବସ କଲେଜ ରୋଡ଼ରେ ଯାତାୟତ କରିବା ଦ୍ୱାରା ସେମାନେ ବହୁ ସୁବିଧାରେ ଅଳ୍ପ ଖର୍ଚ୍ଚରେ ନିଜ କଲେଜକୁ ପାଠ ପଢିବା ନିମନ୍ତେ ଠିକ ସମୟରେ ପହଞ୍ଚିପାରୁଥିବା କହିଛନ୍ତି। ଏଥିସହ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରି ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

