କୋଣାର୍କ, ୧୮/୧୧(ପାଇକପୁଅ)- ସୋମବାର ପୂର୍ବାହ୍ନ ସମୟରେ ୫ଦଫା ଦାବି ନେଇ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦ ମିଳିତ ଆନୁକୁଲ୍ୟରେ ଦିନିକିଆ ପ୍ରତୀକ ଧାରଣା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସୁରକ୍ଷା ସମିତିର ସଭାପତି ତଥା କୋଣାର୍କ ଏନଏସି କାଉନସିଲର ସୌମ୍ୟ ସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତୀକ ଧାରଣା କାର୍ଯ୍ଯକ୍ରମରେ ସୁରକ୍ଷା ସମିତିର ସଂପାଦକ ରାମକୃଷ୍ଣ ମହାନ୍ତି, ବିଶ୍ବ ହିନ୍ଦୁ ପରିଷଦ କୋଣାର୍କ ଶାଖା ସଭାପତି ଭାଗୀରଥୀ ସ୍ଵାଇଁ,ବିଶ୍ବ ହିନ୍ଦୁ ପରିଷଦର ବରିଷ୍ଠ ସଦସ୍ୟ ରଘୁନାଥ ମହାପାତ୍ର, ନିରଞ୍ଜନ ତ୍ରିପାଠୀ, ବିଜେପି କୋଣାର୍କ ମଣ୍ଡଳ ସଭାପତି ଗୋପୀନାଥ ସ୍ବାଇଁ, ଜଗତସିଂହପୁର ସାଂସଦଙ୍କ କୋଣାର୍କ ଏନଏସି ପ୍ରତିନିଧି ମଙ୍ଗରାଜ ମୁଦୁଲି, ମଙ୍ଗରାଜ ସାହୁ, ଶରତ ମଲ୍ଲ, ପ୍ରିୟ ରଞ୍ଜନ ରଥ, ଆଭାସ ମୁଦୁଲି, ବିରଂଚି ନାରାୟଣ ରଥ, ସମିତିର ମିଡିଆ ସଂଯୋଜକ ପ୍ରତାପ କୁମାର କାଣ୍ଡି, ଜ୍ଞାନ ରଞ୍ଜନ ବିଶ୍ଵାଳ, ଓ ରଶ୍ମିରଂଜନ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଦୀର୍ଘ ୨୯ ବର୍ଷର ଦାବି ପୂରଣ ଦିଗରେ ବିଳମ୍ବିତ ହେଉଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରତି ଶନିବାର ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶ୍ଲୁକ ଛାଡ, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ, ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ, ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ବ୍ଯବସାୟ କରୁଥିବା ବ୍ଯବସାୟୀ ମାନଙ୍କୁ ଥଇଥାନ ଓ ଫଟୋ ଗ୍ରାଫର ଓ ଗାଇଡ ମାନଙ୍କୁ ନିଶ୍ଲକ ମନ୍ଦିର ପ୍ରବେଶ ଆଦି ଦାବି ନେଇ ଏହି ପ୍ରତୀକ ଧାରଣା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୮୦ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ ଓ ସମିତିର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ୫ଦଫା ଦାବି ସମ୍ବଳିତ ଦାବିପତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଏଏସଆଇ ମହାନିର୍ଦ୍ଦେଶକ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ଉର୍ଦେଶରେ ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶଙ୍କୁ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ପ୍ରଦାନ କରିଥିଲେ। ଏହି ପ୍ରତୀକ ଧାରଣା କାର୍ଯ୍ଯକ୍ରମରେ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ପରେ ପରେ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ସୂର୍ଯ୍ୟ ମନ୍ଦିର ପରିକ୍ରମା କରିଥିଲେ।

