ଯୋଡ଼ା, ୧୮/୧୧(ପାଇକପୁଅ) ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଟାଟା ଷ୍ଟିଲର ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ ପକ୍ଷରୁ ଖଣି ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମବାସୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇଥିଲେ। ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ଭୁବନେଶ୍ୱର ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଖଣି କ୍ଷେତ୍ର ଏବଂ ଦୈନନ୍ଦିନ ଜୀବନରେ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।
ଏଥିରେ ଖଣି ସୁରକ୍ଷା ସମେତ ମାଇନିଂ କାର୍ଯ୍ୟକଳାପରେ ପରିବେଶ ଓ ସ୍ଥାନୀୟ ଲୋକଙ୍କ ଉପରେ ପଡୁଥିବା ପ୍ରଭାବ, ଆବଶ୍ୟକ ସୁରକ୍ଷା ପଦକ୍ଷେପ, ଘରେ ବିଦ୍ୟୁତ, ଅଗ୍ନି ଏବଂ ରାସାୟନିକ ସୁରକ୍ଷା ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ନିୟମିତ ପରୀକ୍ଷଣ ସହ ଜରୁରୀକାଳୀନ ସ୍ଥିତିରେ ସତର୍କତା ଅବଲମ୍ବନ ଉପରେ ସୂଚନା ଦିଆଯାଇଥିଲା। ସଡ଼କ ସୁରକ୍ଷା ଯଥା- ଟ୍ରାଫିକ ନିୟମ ଅନୁପାଳନ, ସୁରକ୍ଷା ସାମଗ୍ରୀ ବ୍ୟବହାର, ଓ ସତର୍କତାର ସହ ଗାଡି ଚାଳନା ବିଷୟରେ ସଚେତନ କରାଯାଇଥିଲା।
ଏହି ସୁରକ୍ଷା କାର୍ଯ୍ୟକ୍ରମ ତିନୋଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ବିଛାକୁଣ୍ଡିର ମୁଣ୍ଡା ବସ୍ତିରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋଡା ୱେଷ୍ଟ ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନର ସହକାରୀ ପ୍ରବନ୍ଧକ ସୌମ୍ୟରଞ୍ଜନ ପଣ୍ଡା ଏବଂ ଟିଏସଏଫ୍ ପ୍ରବନ୍ଧକ ପ୍ରଦୀପ୍ତ କୁମାର ମାନସିଂହ ଯୋଗ ଦେଇଥିଲେ। ଜୋରିବାର ସ୍କୁଲରେ ବାମେବାରି ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ ପକ୍ଷରୁ ପ୍ରବନ୍ଧକ ଅମୂଲ୍ୟ କୁମାର ପଣ୍ଡା, ସହ ପ୍ରବନ୍ଧକ ଅଲୋକ ସିଂହ ସରଦାର, ସୁରକ୍ଷା ଅଧିକାରୀ ପୁଷ୍ପେନ୍ଦ୍ର ରାଓ ଏବଂ ଶ୍ରମିକ ସଂଘ ଅଧ୍ୟକ୍ଷ ଅରୁଣ କୁମାର ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ। ବିଡିପି କ୍ୟାମ୍ପ (ପାଲସା)ରେ ଆୟୋଜିତ କାର୍ଯ୍ୟକ୍ରମରେ ତିରିଂପାହାଡ଼ ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ୍ ପ୍ରବନ୍ଧକ ରାକେଶ କୁମାର ଏବଂ ସହକାରୀ ପ୍ରବନ୍ଧକ ଅରିନ୍ଦମ ପାଣି ପ୍ରଶିକ୍ଷଣ ଦେଇଥିଲେ।

