ମାଲକାନଗିରି,୧୪/୧୧ (ସୁଧାଂଶୁ ଶେଖର ମହାନ୍ତି)ଆସନ୍ତା ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ନେଇ ଆଜି ବ୍ଲକ କାର୍ଯ୍ୟାଳୟର କନ୍ଫରେନ୍ସ ହଲରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ଅଧ୍ୟକ୍ଷତା କରିଥିବା ବେଳେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ, ସାଂସଦ ପ୍ରତିନିଧି ଅକ୍ଷୟ ବିଶ୍ୱାଳ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ପଡିଆମି, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଘେନୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ସରପଞ୍ଚ, ସମିତି ସଦସ୍ୟ, କଳା ସଂସ୍କୃତି ସଂଘ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ଯୋଗ ଦେଇ ମହୋତ୍ସବ ପାଳନ ପାଇଁ ବିସ୍ତୃତ ଆଲୋଚନା କଲେ। ବୈଠକରେ ସମସ୍ତଙ୍କ ସମ୍ମତିକ୍ରମେ ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଦିନ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ନିମନ୍ତେ ବିଭିନ୍ନ ଜଳା ଶ୍ରୟରୁ ଜଳ ସଂଗ୍ରହ କରି ମାଉଳି ମା ମନ୍ଦିରରେ ରଖାଯିବା ସହିତ ଜିଲ୍ଲା ମହୋତ୍ସବ ନିମନ୍ତେ ବ୍ଲକ ଠାରୁ ଏକ କଳସ ଜିଲ୍ଲା ସଦର ମହକୁମାକୁ ନିଆଯିବ। ଏବଂ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆଗାମୀ ଡିସେମ୍ବର ୩ ତାରିଖରେ ପାଳନ କରାଯିବ। ଏହା ସହିତ ଶାନ୍ତି ସୁରକ୍ଷା, ଯାତାୟାତ ବ୍ୟବସ୍ଥା, ପାଣି ଓ ବିଦ୍ୟୁତ ଯୋଗାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

