ମାଲକାନଗିରି,୧୩/୧୧ (ସୁଧାଂଶୁ ଶେଖର ମହାନ୍ତି)କାଲିମେଳା ବ୍ଳକ ଅନ୍ତର୍ଗତ ମାଲାଭରମ ପଂଚାୟତର ଅନନ୍ତପାଲୀ ଆଶ୍ରମ ବିଦ୍ୟାଳୟରେ ବ୍ଲକସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସୁବାସିନୀ ସୋଡ଼ି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲା ମଂଗଳ ସଂପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୁଜାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସରଗିଫୁଲ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରୁଛନ୍ତି ବୋଲି କହିଥିଲେ। ପ୍ରତିଭା ଅନ୍ଵେଷଣର ଏହା ଏକ ମାଧ୍ୟମ ହୋଇଥିବାରୁ ଏଥିରେ ବିଭିନ୍ନ ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇପାରୁଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କୁମାର ମାଢ଼ି, ମାଲାଭରମ ସରପଂଚ ଦୁର୍ଗାଚରଣ ମାଢ଼ି, ଅନନ୍ତପାଲୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମା ଚରଣ ପଟନାୟକ, ଗମ୍ପାକୋଣ୍ଡା ଏସଏସଡ଼ି ବାଳକ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ପ୍ରଧାନ, ଏମଭି-୭୯ ଏସଏସଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ବ୍ଲକ ମଂଗଳ ସଂପ୍ରସାରଣ ଅଧିକାରୀ ସୌମ୍ୟରଂଜନ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସହକାରୀ ଶିକ୍ଷକ ସୁଶାନ୍ତ ଶେଖର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଭଲିବଲ, ଚିତ୍ରାଙ୍କନ, ବକ୍ତୃତା, ଏକକ ଅଭିନୟ, ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

