ମାଲକାନଗିରି,୦୮/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ଯୋଗ ଦେଇ ଠାକୁର ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଯୋଗ ଦେଇ ଶିବିର ସମ୍ବନ୍ଧରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ। ଏଥିସମେତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ସେନ ଖଣ୍ଡୁଆଳ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ମାଲକାନଗିରି ବିଧାୟକ ପ୍ରତିନିଧି ମୁଁୟା ମାଡକାମୀ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଏହି ଶିବିରରେ ସର୍ବମୋଟ ୨୨୭ ଜଣ ପଞ୍ଜିକୃତ କରାଇ ନିଜ ନିଜର ପରୀକ୍ଷା କରାଇଥିଲେ। ଦୃଷ୍ଟି ବାଧିତ ବିଭାଗରେ ୫୧, ଶ୍ରବଣ ବାଧିତ ବିଭାଗରେ ୪୬, ଅସ୍ଥିଶଲ୍ୟ ବିଭାଗରେ ୭୩, ମାନସିକ ବାଧିତ ବିଭାଗରେ ୨୯ ଏବଂ ଅନ୍ୟାନ୍ୟ ବିଭାଗରେ ୨୮ ଜଣ ପରୀକ୍ଷା କରାଇଥିଲେ। ସମସ୍ତ ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଲୋକମାନଙ୍କର ପରୀକ୍ଷା କରିଥିଲେ। ମାନସିକ ବିଶେଷଜ୍ଞ ଡାକ୍ତର ଏମ ଅଭିଦ ହୁସେନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବ୍ରଜେଶ କୁମାର, ଦୃଷ୍ଟି ବାଧିତ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ଖମାରୀ, ଶ୍ରବଣ ବାଧିତ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ବେହେରା ଏବଂ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ବାସନ୍ତୀ ହାଁସଦା ପ୍ରମୁଖ ଆଜିର ଶିବିରରେ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେଶ ଗୌଡ଼ ପରିଚାଳନା କରିଥିଲେ।

