ବାରିପଦା, ୦୪/୧୧(ପାଇକପୁଅ)ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ, ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନର କାର୍ଯ୍ୟନିର୍ବାହୀ କମିଟି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମେଗା,ଏକକ ଓ ବହୁ ଗ୍ରାମ ଜଳ ଯୋଗାଣ ଯୋଜନାର ସୁଗମ କାର୍ଯ୍ୟକାରିତା ସହ ପ୍ରତ୍ୟେକ ପରିବାର, ସାଧାରଣ ସ୍ଥାନ ତଥା ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ପାଇପ ଯୋଗେ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାନେଇ ତୃଣମୂଳ ସ୍ତରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ଦୁଇ ବା ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ମେଗା ବହୁଗ୍ରାମ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାକୁ ଅଧିକ ମାନବ ଶକ୍ତି ନିୟୋଜିତ କରି ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି।ବୈଠକରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ଏସିଏଫ. ଶେଖ ମେହେରବାନ ଅଲ୍ଲୀ, ରାଇରଙ୍ଗପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ରାଉତ, ଉଦଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ଲୁଗୁନ ଙ୍କ ସହ ସମସ୍ତ ବ୍ଲକର ଲାଇନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ ବୈଠକ ପରିଚାଳନା କରିଥିବାବେଳେ ବିଭିନ୍ନ ବ୍ଲକର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକା ସଂସ୍ଥାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

