ମାଲକାନଗିରି,୩୦/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତୁମସାପାଲ୍ଲୀ ପଞ୍ଚାୟତ ଅଧିନସ୍ତ ଏମଭି-୧୨ ଗ୍ରାମ ନିକଟସ୍ଥ କେନ୍ଦୁଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେହି ଗ୍ରାମରେ ରହୁଥିବା ଦେବା ମାଡ଼କାମୀ-(୬୧) ଗତକାଲି ରାତିରେ ପରିବାର ଲୋକଙ୍କ ସହିତ ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।ଏ ନେଇ ମୃତ ଦେବାଙ୍କ ପୁଅ ଭୀମା ମାଡ଼କାମୀ କୋରୁକୋଣ୍ଡା ଥାନାରେ ଦ୍ୱାରସ୍ତ ହୋଇ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ତେବେ ଭୀମା ପୋଲିସକୁ ପ୍ରଦାନ କରିଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ତାଙ୍କ ବାପା ବୁଧବାର ସନ୍ଧ୍ୟାରେ ନିଜ ଘରେ ଥିବା ବେଳେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ପିଇବା ପାଇଁ ମଦ ଆଣିଦେଇଥିଲେ। ଉକ୍ତ ମଦରେ ବିଷ ମିଶାଇ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ପୁଅ ଭୀମା ଅଭିଯୋଗ କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତି କରି କୋରୁକୋଣ୍ଡା ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୭୩/୨୦୨୫ରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଥାନାଧିକାରୀ ହିମାଣୁ ଶେଖର ବାରିକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ କେନ୍ଦୁଗୁଡା ଗ୍ରାମରେ ପହଞ୍ଚିଥିଲେ। ପୋଲିସ ଉପସ୍ଥିତିରେ ଏମଭି -୪୭ ଗ୍ରାମର ଡାକ୍ତର ଦେବାଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ। ପୋଲିସ ଦେବାଙ୍କ ମୃତ ଶରୀରକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। କୋରାପୁଟରୁ ଏକ ୩ ଜଣିଆ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଶୁକ୍ରବାର ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ମୃତ ଦେବାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ପୋଷ୍ଟମଟମ ରିପୋର୍ଟ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୋରୁକୋଣ୍ଡା ଥାନାଧିକାରୀ ଶ୍ରୀ ବାରିକ କହିଛନ୍ତି।

