ମାଲକାନଗିରି,୨୪/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ ଇଡକୋ କମ୍ପାନୀକୁ ଜମି ଦେବାକୁ ନାରାଜ ଥିବା ଲୋକଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ। ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୀମାଗୁଡ଼ି ଗାଁ ବୁଲିବା ସହ ୪୨ ଏକର ଜଙ୍ଗଲ ମଧ୍ୟରେ ଗଢ଼ି ଶିଳ୍ପ ପ୍ରତିଷ୍ଠାନ ଗଢିବା ପାଇଁ ସମୀକ୍ଷା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଷ କୁମାର ଉପଧ୍ୟାୟ। ଏ ସମ୍ପର୍କରେ ଗ୍ରାମବାସୀଙ୍କ ସହ ସେ ସିଧାସଳଖ ଆଲୋଚନା ମଧ୍ୟ କରିଛନ୍ତି। ଶିଳ୍ପ ହେଲେ ସ୍ଥାନୀୟ ଲୋକେ ରୋଜଗାର ପାଇବେ ଏବଂ ଅଞ୍ଚଳର ଓ ଲୋକଙ୍କ ବିକାଶ ହେବ ବୋଲି ଜିଲ୍ଲାପାଳ ବୁଝାଇ ଥିଲେ। ଅନ୍ୟପଟେ କିନ୍ତୁ ଆରମ୍ଭରୁ ହିଁ ଏହି ପ୍ରକଳ୍ପକୁ ଗ୍ରାମବାସୀ ମାନେ ଜମି ଦେବାକୁ ନାରାଜ ଥିବା ପରିଲକ୍ଷିତ ହୋଇଥିଲା। ମାଲକାନଗିରି ଜିଲ୍ଲାର ଏହି ସୀମାଗୁଡି ଗାଁରେ ଇଡକୋ କମ୍ପାନୀ ପକ୍ଷରୁ ଏଠାରେ ଏକ ଲଘୁ ଉଦ୍ୟୋଗ ଆରମ୍ଭ କରିବାକୁ ଦୁଇ ବର୍ଷ ପୂର୍ବରୁ ପ୍ରୟାସ ଜାରି ରହିଥିବା ବେଳେ କିନ୍ତୁ ବିଗତ ଦୁଇ ବର୍ଷ ହେବ ଗ୍ରାମବାସୀଙ୍କ ତିବ୍ର ବିରୋଧ ଯୋଗୁଁ ଫ୍ୟାକ୍ଟ୍ରି ଏଯାବତ ହୋଇ ପାରିନାହିଁ। ଗ୍ରାମବାସୀ ଏହି ଛୋଟିଆ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ରହୁଥିବା କହିଛନ୍ତି। ଗାଇ ଗୋରୁ ଚରାଇବା ଠାରୁ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା କହିଛନ୍ତି ଗ୍ରାମବାସୀ। ତେବେ ଏମିତିରେ ଜଳ ଜମି ଜଙ୍ଗଲ କଥା କହୁଥିବା ଏହି ଗ୍ରାମବାସୀଙ୍କ ମନ ପରିବର୍ତ୍ତନ କରି ଅଞ୍ଚଳରେ ବିକାଶର ଧାରାକୁ ଆଗକୁ ନେବା କଥା କହି ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କୁ ବୁଝା ସୁଝା କରୁଥିବା ବେଳେ ଆଗକୁ କମ୍ପାନୀ ଜମି ହାତେଇବାରେ କେତେ ଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଜିର ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହ ଉପ ଜିଲ୍ଲାପାଳ ଅଶ୍ନି ଏଏଲ, ତହସିଲଦାର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

