ମାଲକାନଗିରି,୨୪/୧୦ (ସୁଧାଂଶୁ ଶେଖର ମହାନ୍ତି)ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନାମରେ ଭିତ୍ତିହୀନ ଖବର ପ୍ରଚାର ଓ ମନ୍ତବ୍ୟ ଭାଇରାଲ କୁ ବିରୋଧ କରି ଓ ୧୭ ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଦର୍ଶ ଥାନାରେ ଏତଲା ଦିଆଯାଇଛି। ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, କଂଗ୍ରେସ ନେତା ଭୀମା ବାର୍ଷେ, ରାମକ୍ରିଷ୍ଣା ମଣ୍ଡଳ, ଦଶରଥ ଦୁରୁକା, ଭାସ୍କର ପରିଚ୍ଛା, ପଦ୍ମ ପାଙ୍ଗି, ସ୍ମୃତିରଞ୍ଜନ, ଛବି ଦାସ, ଡି.ଚିନା ରାଓ, ପ୍ରଭାକର ପାଳ, ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭଵନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମାଲକାନଗିରି ଆଦର୍ଶ ଥାନାରେ ପହଁଚିଥିଲେ। ସେଠାରେ କଂଗ୍ରେସ ଦଳ ଓ ପିସିସି ସଭାପତିଙ୍କ ନାମରେ କୁମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ଫୋକସ୍ ପ୍ଲସ୍” ନାମକ ୱେବ୍ ପୋର୍ଟାଲ୍ ଦ୍ୱାରା ପ୍ରସାରିତ ଅପମାନଜନକ ଏବଂ ମାନହାନି ମୂଳକ ଲେଖା ସମ୍ପର୍କରେ ସୁଧାଂସୁ ଶେଖର ରାଉତ ଏବଂ ଅନ୍ୟ ୪ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଏହି ଏତଲା ଦିଆଯାଇଛି। “ଫୋକସ୍ ପ୍ଲସ୍” ନାମକ ଏକ ୱେବ୍ ପୋର୍ଟାଲ୍ ଦ୍ୱାରା ପ୍ରସାରିତ ଅପମାନ ଜନକ, ମାନହାନି କାରକ, ମିଥ୍ୟା, ଭିତ୍ତିହୀନ ଏବଂ କପୋଳକଳ୍ପିତ ବିଷୟବସ୍ତୁ ସମ୍ପର୍କରେ ଜିଲ୍ଲାର କଂଗ୍ରେସ କମିଟି ପକ୍ଷରୁ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ୱେବ୍ ପୋର୍ଟାଲ୍ର ମୁଖ୍ୟ ସମ୍ପାଦକ ସୁଧାଂସୁ ଶେଖର ରାଉତ ଏବଂ ଅଜୟ କୁମାର ପଣ୍ଡା, ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଏତଲାରେ ଅନୁରୋଧ କରାଯାଇଛି।

