କୋଣାର୍କ, ୨୨/୧୦(ପାଇକପୁଅ)- କୋଣାର୍କ କାକଟପୁର ମୁଖ୍ୟ ରାସ୍ତା
ଜମରା ଗ୍ରାମ ହାତୀମଲା ଠାରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଥିବା ଜଣାପଡିଛି।ଆହତ ବ୍ୟକ୍ତି ଜଣଙ୍କ ବାଲିଦୋକାନରେ ରହୁଥିବା ଭୈରବ ରାଉତ(୫୦ବର୍ଷ)। ଭୈରବ କୋଣାର୍କ ରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଅଟୋ ସହିତ ଧକ୍କା ହୋଇଥିଲେ।ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୁଣ୍ଡ , ମୁହଁ ଏବଂ ଗୋଡ଼ରେ ଗୁରୁତର ଆଘାତ ପାଇ ରାସ୍ତାରେ ପଡ଼ିରହିଥିଲେ। ବାଟରେ ଯାଉଥିବା ବାଟୋଇଙ୍କ ସହଯୋଗରେ ଅଧ ଘଣ୍ଟା ବିଳମ୍ବରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଗୋପ ମେଡିକାଲକୁ ନେଇଥିଲେ l ବ୍ୟକ୍ତି ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୋପ ମେଡିକାଲରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।ଅନ୍ୟପଟେ ଆହତଙ୍କୁ ନେଇ ଯାଉଥିବା ଅଗ୍ନିଶମ ଗାଡ଼ିର ଚକା କୋଣାର୍କ ଯାତ୍ରୀନିବାସ ସମ୍ମୁଖରେ ଫାଟି ଯିବାରେ ଆହତଙ୍କୁ ବାଇକ୍ ଯୋଗେ କୋଣାର୍କ ଡାକ୍ତରଖାନା ଓ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗୋପ ନିଆଯାଇଥିଲା। ଯାହାକି ରୋଗୀ ସେବାର ବିକଳ ପରିସ୍ଥିତି ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି।କୋଣାର୍କ – କାକଟପୁର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ଅନାବନା ଗଛ ମାଡ଼ି ବସିବା, ରାସ୍ତା ଅଣଓସାରିଆ ସହିତ ଅଧିକାଂଶ ସ୍ଥାନରେ ବାଙ୍କ ରହୁଥିବା ହେତୁ ଦୈନିକ ଦୁର୍ଘଟଣା କ୍ରମଶଃ ବୃଦ୍ଧି ପାଉଛି।ସବୁଠୁ ଦୁଃଖର ବିଷୟ ହେଉଛି କୋଣାର୍କ ଅଞ୍ଚଳରେ ସଡ଼କ ଦୁର୍ଘଟଣା ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ କୋଣାର୍କ ହସ୍ପିଟାଲକୁ ନଯାଇ ଗୋପ ହସ୍ପିଟାଲକୁ ଆସିଥାନ୍ତି l ଯାହାଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆହୁରି ୨୦ ରୁ ୨୫ କିଲୋମିଟର ଅଧିକ ବାଟ ଯିବାକୁ ପଡିଥାଏ।ଗୋପରେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀଙ୍କୁ ଭୁବନେଶ୍ୱର, କଟକ କିମ୍ବା ପୁରୀ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବାକୁ ପଡିଥାଏ। ସରକାର କୋଟି କୋଟି ଟଙ୍କା ସ୍ୱାସ୍ଥ୍ୟ କାର୍ଡ ପାଇଁ ଗଛିତ କରୁଛନ୍ତି ସତ କିନ୍ତୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତିଭୂମିର ବିକାଶ ହେଉନାହିଁ l ଯାହା ଫଳରେ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନେ ମୃତ୍ୟୁ ମୁଖରେ ପଡୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

