Malkanagiri ମାଲକାନଗିରି,୧୮/୧୦ (ସୁଧାଂଶୁ ଶେଖର ମହାନ୍ତି)
ରାଜ୍ୟ ଆଶାକର୍ମୀ ସଂଘର ନିଷ୍ପତ୍ତିକ୍ରମେ ମାଲକାନଗିରି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୯ ଦଫା ଦାବି ନେଇ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିସନକୁ ସ୍ଥାୟୀ କରି ଆଶା କର୍ମୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା। ସରକାରୀ ମାନ୍ୟତା ମିଳିବା ପର୍ଯ୍ୟନ୍ତ ଆଶା କର୍ମୀମାନଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ। ସମସ୍ତ ଆଶାକର୍ମୀଙ୍କୁ ସାମାଜିକ ସୁରକ୍ଷା ଯୋଜନା ଇଏସଆଇ ଓ ଇପିଏଫଓ ଅନ୍ତର୍ଗତ ପଂଜିକୃତ କରାଯାଉ। ପ୍ରତିମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ କରାଯାଉ ଓ ପ୍ରତି ପିଏଚସି ଓ ସିଏଚସିରେ ଆଶା ଗୃହ ନିର୍ମାଣ କରାଯାଉ। ଯୋଗ୍ୟତା ଭିତ୍ତିରେ ଆଶାକର୍ମୀ ମାନଙ୍କୁ ତାଲିମ ଦେଇ ଏଏନଏମ ପଦବିରେ ପଦୋନ୍ନତି କରାଯାଉ। ସେହିପରି ପ୍ରତିବର୍ଷ କର୍ମୀଙ୍କୁ ୨ ହଳ ୟୁନିଫର୍ମ ଓ ରିପୋର୍ଟ ଲେଖନ ପାଇଁ ରେଜିଷ୍ଟାର ପ୍ରଦାନ କରାଯାଉ। କାର୍ଯ୍ୟ ସମୟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ପ୍ରଦାନ କରାଯାଉ। ଅବସର ପରେ ଆଶା କର୍ମୀଙ୍କୁ ଏକକାଳୀନ ୧୦ ଲକ୍ଷ ଓ ମାସିକ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଉ। କାମ ସୁରୁଖୁରୁରେ ହେବା ପାଇଁ ସମସ୍ତ କର୍ମୀଙ୍କୁ ୫ଜି ମୋବାଇଲ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଏଥିରେ ମାଲକାନଗିରି ଜିଲ୍ଲାର ଅନେକ ଆଶାକର୍ମୀ ଉପସ୍ଥିତ ଥିଲେ।
