ଭୁବନେଶ୍ୱର,୧୨/୧୦(ପାଇକପୁଅ)ଦୀର୍ଘ ୭ଦିନ ଧରି ଧନଦେବୀ ମା’ ଗଜଲକ୍ଷ୍ମୀ ଧରାପୃଷ୍ଠରେ ପୂଜା ପାଉଥିଲେ। ଆଜି ମା’ଙ୍କୁ ମେଲାଣୀ ଦିଆଯାଇଛି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ ୧୦ନଂ ୱାର୍ଡ ଅନ୍ତର୍ଗତ ଭୋଟପଡ଼ା ଗ୍ରାମର ମା’ ଦରିଆଣୀ କ୍ଲବ ପକ୍ଷରୁ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଖୁବ ଯାକଜମକରେ ଅନୁଷ୍ଠିତ ହୋଇଯାଇଛି।
ଆଜି ସନ୍ଧ୍ୟାରେ ମା’ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କ୍ଲବ ପକ୍ଷରୁ ପାରମ୍ପରିକ ରୀତିନୀତି ଓ ପାରାମ୍ପରିକ ବାଦ୍ୟରେ ମା’ଙ୍କ ମେଲାଣୀ ଶୋଭାଯାତ୍ରା କରାଯାଇଥିଲା। କ୍ଲବର ସମସ୍ତ ସଦସ୍ୟଙ୍କ ସମେତ ଗାଁ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପ୍ରଥମେ ଭସାଣୀ ଶୋଭାଯାତ୍ରା ଗାଁ ପରିକ୍ରମା କରାଯାଇଥିଲା। ମାଆଙ୍କ ମେଢ଼ ଗାଁ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଅତ୍ୟନ୍ତ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ। ଗାଁ ପରିକ୍ରମା ପରେ ମା’ଙ୍କ ମେଢ କୂଆଖାଇ ନଦୀରେ ବିସର୍ଜନ କରାଯାଇଥିଲା। ଏହି ଶୋଭାଯାତ୍ରା ବେଶ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ କରାଯାଇଥିଲା।

