ମାଲକାନଗିରି,୦୬/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗାରିଆବନ୍ଧରେ ୨ ମହିଳା ମାଓବାଦୀଙ୍କ ସମେତ ମୋଟ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ତିନି ଜଣଙ୍କ ନାମରେ ୧ଲକ୍ଷ ଟଙ୍କା ପୁରସ୍କାର ଥିଲା। ସୂଚନା ଅନୁଯାୟୀ ଗାରିଆବନ୍ଧ ଜିଲ୍ଲାରେ ମାଓ ଦମନ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ଡିଜିଏନ ଡିଭିଜନ ଏବଂ ଓଡ଼ିଶା ରାଜ୍ୟ କମିଟି ସହିତ ଜଡିତ ତିନି ଜଣ ସକ୍ରିୟ ମାଓବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ନାଗେଶ ଏବଂ ଦୁଇ ମହିଳା ନକ୍ସଲ ଯେନି ଏବଂ ମାନିଲା ଅଛନ୍ତି। ନାଗେଶ ଏକ ଦେଶୀ ବନ୍ଧୁକ ସହିତ ନିଜକୁ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀ ମାନେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ଥିଲେ ଏବଂ ଅନେକ ବଡ଼ ହିଂସାକାଣ୍ଡ ଘଟଣାରେ ମଧ୍ୟ ଜଡିତ ଥିଲେ। ତେବେ ଭାଙ୍ଗି ବାରେ ଲାଗିଥିବା ମାଓ ସଙ୍ଗଠନ ନିଜର ସ୍ଥିତି ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ଏମାନେ ପ୍ରଭାବିତ ହୋଇ ହିଂସାର ପଥ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

