ମାଲକାନଗିରି,୦୬/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ତ ନୀଳାଦ୍ରୀନଗର ଗ୍ରାମ ଛକରେ ଥିବା ପୂଜା ମଣ୍ଡପରେ ପୂଜା କମିଟି ପକ୍ଷରୁ ପ୍ରାୟ ୧୫ ବର୍ଷ ହେବ ଗଜଲକ୍ଷ୍ମୀଙ୍କ ପୂଜା ବହୁ ଧୂମଧାମରେ ପାଳିତ ହୋଇ ଆସୁଅଛି। ଏହି କ୍ରମେ ଚଳିତ ବର୍ଷ ଅକ୍ଟୋବର ମାସ ୬ ତାରିଖ ସୋମବାର ଦିନ ଠାରୁ ପୂଜା କମିଟିର ସଭାପତି ପ୍ରମୋଦ କୁମାର ପ୍ରଧାନ, ଉପ ସଭାପତି ସୁରଥ କୁଣ୍ଡ, ସାଧାରଣ ସମ୍ପାଦକ ନିରଞ୍ଜନ ବିଶୋଇ, କୋଷାଧକ୍ଷ କାନ୍ହୁ ଚରଣ ସାହୁ, ଉପଦେଷ୍ଟା ଭାବେ ଦୁର୍ଯ୍ୟଧନ ବିଶୋଇ, ଭାସ୍କର ପାଢ଼ୀ, ବ୍ରଜବନ୍ଧୁ ଚୌଧୁରୀ, ଜଗନ୍ନାଥ ସାହୁ, ପ୍ରମୋଦ କୁମାର ଗୌଡ଼ ଏବଂ ଅନ୍ୟ କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଏହି ପୂଜା କମିଟି ପକ୍ଷରୁ ସୋମବାର ସକାଳ ୧୦ ଟା ସମୟରେ ସୋରଲୁକୋଣ୍ଡା ବ୍ୟାରେଜର ନଦୀରେ ମୁଖ୍ୟ ପୂଜକଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଉକ୍ତ ନଦୀ ନିକଟରୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ଓ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେ ତାଳେ ମହିଳାମାନେ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ନୀଳାଦ୍ରୀନଗର ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଏହି କଳସ ଯାତ୍ରାରେ ନୀଳାଦ୍ରୀନଗର ଗ୍ରାମର ଶତାଧିକ ମହିଳା ଯୋଗଦେଇଥିଲେ ସନ୍ଧ୍ୟା ୬ ଟା ଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ରାତି ସାରା ଏହି ପୂଜା ଚାଲିବ ବୋଲି ପୂଜକ ଶ୍ରୀ କର କହିଛନ୍ତି। ପୂଜା ମଣ୍ଡପରେ ରଙ୍ଗବେରଙ୍ଗ ଆଲୋକମାଳା ସାଙ୍ଗକୁ ବଡ ବଡ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ପୂଜାକୁ ଦେଖିବାକୁ ନୀଳାଦ୍ରୀନଗର, ବାଲିମେଳା ସହର ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଏହି ପୂଜା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଭକ୍ତ ମାନଙ୍କ ପାଇଁ ପ୍ରତ୍ୟକ ଦିନ ଅନ୍ନ ପ୍ରସାଦ ସେବନ ନିମନ୍ତେ କମିଟି ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କର୍ଯ୍ୟକ୍ରମ କରାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିବା ପୂଜା କମିଟିର ସଭାପତି ଶ୍ରୀ ପ୍ରଧାନ କହିଛନ୍ତି।

