ମାଲକାନଗିରି,୨୫/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ କୁ ମିଳିଛି ସଫଳତା। ଏକ ବାଇକ ଯୋଗେ ବେଆଇନ ଭାବେ ୧୦ କିଲୋ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମିଲନ ବାରିହା ଙ୍କ ନେତୃତ୍ୱରେ ବୁଧବାର ମଧ୍ୟାହ୍ନ ସମୟରେ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଓରିଙ୍ଗି ଠାରେ ଏକ ଟିମ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ବାୟାପଡା ଘାଟି ଓଲ୍ହାଇ ୨ ବ୍ୟକ୍ତି ଏକ ବାଇକ ଯୋଗେ କିଛି ସାମଗ୍ରୀ ନେଉଥିବା ବେଳେ ପୋଲିସ ର ଏହି ଟିମ କୁ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ପୋଲିସ ଟିମ ୨ ଜଣଙ୍କୁ କାବୁ କରି ଯାଞ୍ଚ କରିବା ସମୟରେ ତନ୍ମଧ୍ୟରେ ୧୦ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ବାଇକ ସମେତ ଗଞ୍ଜେଇ କୁ ଜବତ କରି ଓରକେଲ ଥାନା କୁ ନିଆଯାଇଥିଲା। ଥାନା କୁ ଆଣି ପଚରାଉଚରା କରିବା ପରେ ଉଭୟ ଉକ୍ତ ଗଂଜେଇ କୁ ଜୟପୁର ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ଅଜିତ ସିଂ ବାରିହା କହିଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ ରାମ କିରସାନି(୪୦) ଏବଂ ଜୟ କିରସାନି(୨୨)। ଉଭୟ ଙ୍କ ଘର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଅଙ୍ଗୁରଗୁଡା ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି। ଆଜି କେସ ନଂ ୨୫୫/୨୫ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

