ମାଲକାନଗିରି,୧୦/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ ଲ୍ୟାମ୍ପସ କାର୍ଯ୍ୟାଳୟ ଆଜି ଅଚାନକ ପରିଦର୍ଶନ କରିଛନ୍ତି କେସିସି ଚେୟାରମ୍ୟାନ ଈଶ୍ୱର ପାଣିଗ୍ରାହୀ। ଏହି ଅବସରରେ ସେ ପ୍ରଥମେ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯାଇ ସେଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଜୟପୁର କେସିସି ବ୍ୟାଙ୍କ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ, ଲୋନ୍ ମ୍ୟାନେଜର ମନୋଜ କୁମାର ସାହୁ, କେସିସି ବ୍ୟାଙ୍କ ନିର୍ଦ୍ଦେଶକ ରମା ରାଉଳ, କୋରୁକୋଣ୍ଡା ଲ୍ୟାମ୍ପସ ଅଧ୍ୟକ୍ଷ ସାଲୁ ଖିଲ, ଉପାଧ୍ୟକ୍ଷା ପଦ୍ମିନୀ ଖିଲ, ଏମଡି ଅଭିମନ୍ୟୁ ହାଲବାଙ୍କ ସମେତ ଅନ୍ୟ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ। ବୈଠକରେ ଲ୍ୟାମ୍ପସର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଚାଷୀମାନେ ନିଜର ଅଭିଯୋଗ ସିଧାସଳଖ ଚେୟାରମ୍ୟାନଙ୍କୁ ଜଣାଇଥିଲେ। ପରେ ଲ୍ୟାମ୍ପସ କାର୍ଯ୍ୟାଳୟ ନିକଟରେ ଥିବା ଗୋଦାମ ଗୃହ ପରିଦର୍ଶନ କରିଥିଲେ। ଉକ୍ତ ଗୋଦାମ ଗୃହ ନିକଟରେ ୧ କୋଟି ୭୮ ଲକ୍ଷ ଟଙ୍କାର ନିଜସ୍ୱ ଶସ୍ୟ ଗୋଦାମ ଗୃହ ନିର୍ମାଣ କରିବାକୁ ଲ୍ୟାମ୍ପସ ପକ୍ଷରୁ ସ୍ଥିର କରାଯାଇଥିବା ବେଳେ ନିଜସ୍ୱ ଜାଗା ଲ୍ୟାମ୍ପସ କେତେ ରହିଛି ତାହାର ଅନୁଧ୍ୟାନ କରିଥିଲେ ଚେୟାରମ୍ୟାନ । ଏଥିସହ ସାରର କଳା ବଜାରୀ ହେଉଥିବା ନେଇ କିଛି ଚାଷୀ ଅଭିଯୋଗ କରିଥିଲେ। ଯେପରିକି କିଛି ଡିଲର ନିଜ ଦୋକାନରେ ୟୁରିଆ ସାର ୬୦୦ ରୁ ୭୦୦ ଟଙ୍କାରେ ବିକ୍ରି କରୁଥିବା ନେଇ ସେ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରାଇ ପଦକ୍ଷେପ ନେବେ ବୋଲି ଆଶ୍ୱାସନ ଦେଇଥିଲେ।

