ମାଲକାନଗିରି,୦୯/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତ ଅନ୍ତର୍ଗତ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ରାଷ୍ଟ୍ରପତି ପୁରସ୍କାର ଗତ ୫ ତାରିଖ ଗୁରୁ ଦିବସ ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଉତ୍ତମ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିବା ପରେ ଆଜି ନିଜ ଅଞ୍ଚଳ ତଥା ନିଜ ସ୍କୁଲ ମାଟି କଣ୍ଡେଲ ଗ୍ରାମରେ ପହଂଚିଥିଲେ। ଶିକ୍ଷକଙ୍କର ଏପରି ସଫଳତା କୁ ଗ୍ରାମବାସୀ ଅତି ଆନନ୍ଦ ସହକାରେ ପାଳନ କରିଥିଲେ। ଏଥି ନିମନ୍ତେ ଶିକ୍ଷକ ଶ୍ରୀ ରଣାଙ୍କୁ ମହେଶ୍ୱରପୁର ଛକ ଠାରୁ କଣ୍ଡେଲ ଗ୍ରାମ ପର୍ଯ୍ୟନ୍ତ ବାଜା, ବାଣ ଏବଂ ରୋଷଣୀ ମାଧ୍ୟମରେ ଆଦିବାସୀ ସଙ୍ଗୀତର ତାଳେ ତାଳେ ଢେମସା ନୃତ୍ୟ କରି ସ୍ୱାଗତ ଜଣାଇ ଏକ ବିଶାଳ ରାଲି ମାଧ୍ୟମରେ ଶିକ୍ଷକଙ୍କୁ ନିଜ ଅଞ୍ଚଳ କୁ ସ୍ୱାଗତ ଜଣାଇଥିଲେ ଏହି ୨ ଗ୍ରାମବାସୀ। କୁନି କୁନି ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଆନନ୍ଦରେ ବିଭୋର ହୋଇ ନାଚି ନିଜର ଆଦର୍ଶ ଶିକ୍ଷକଙ୍କୁ ସ୍କୁଲ ପରିସରକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବ ସମୟରେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରିଣୀ ସୁଶ୍ରୀ ଗାୟତ୍ରୀ ଦେବୀ ଏବଂ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

