ମାଲକାନଗିରି,୩୧/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ସମୟରେ ରାମଧୂନ ର ଧ୍ବନିରେ ପ୍ରଥମେ ସମଗ୍ର କାର୍ଯ୍ୟାଳୟ କମ୍ପି ଉଠିଥିଲା। ଏହାପରେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଏନଏସିର ସମସ୍ତ କର୍ମଚାରୀ ଏବଂ କାଉନସିଲର ମାନେ ଉପସ୍ଥିତ ଥିଲେ। ପରେ ବାଲିମେଳା ସହରର ଗୋପବନ୍ଧୁ ଛକ ଠାରୁ ଆରମ୍ଭ କରି ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏହି ପଥ ଉତ୍ସବରେ ନୃତ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।

ସ୍ଥାନୀୟ ଅଞ୍ଚଳର ଯୁବକ, ଏସଏଚଜି ମହିଳା ଏବଂ ସ୍କୁଲ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରେ ସହରର ମୁଖ୍ୟ ଛକ ଗୁଡିକରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମେଡିକାଲରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ୩ ନଂ ୱାର୍ଡରେ ଥିବା ଅନ୍ନାଥ ଆଶ୍ରମ କୁ ୫ ଗୋଟି ଖଟ ଏବଂ କିଛି ଚେୟାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ସମୟରେ ଟାଉନ ହଲ ଠାରେ ସହରବାସୀଙ୍କ ଉଦ୍ଦେଶ୍ୟରେ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଥମେ ସହରର ବରିଷ୍ଠ ନାଗରିକ ଏବଂ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଏନଏସି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏଥିସହ ଏନଏସି ଅଧିନରେ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସୁଦୂର ବଲାଙ୍ଗୀରରୁ କ୍ରିଷ୍ଣା ମେଲୋଡି ଆସି ସହରବାସୀଙ୍କ ମନୋରଞ୍ଜନ କରିଥିଲା। ସମ୍ବଲପୁରୀ ଗୀତର ତାଳେ ତାଳେ ବିଳମ୍ବିତ ରାତି ଯାଏଁ ଝୁମିଥିଲେ ଦର୍ଶକ। ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା, ଉପାଧ୍ୟକ୍ଷା ରଶ୍ମିତା ବାଙ୍କାଙ୍କ ସମେତ ଅନ୍ୟ କାଉନ୍ସିଲର ମାନେ ଉପସ୍ଥିତ ଥିଲେ।

