ବାରିପଦା, ୨୮/୦୮(ପାଇକପୁଅ)ବୈଶିଙ୍ଗା ଥାନା ପୋଲିସ ୩ଜଣ ଗାଡି ଚୋରକୁ ଧରିବାରେ ସଫଳ ହୋଇଛି। ଏଥି ସହିତ ୯ଗୋଟି ଚୋରି ଗାଡି ମଧ୍ୟ ଜବତ କରାଯାଇଛି।ଏନେଇ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ବେତନଟି ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଆଇ ଆଇସି ବାରିଣୀ ଦାସ ସବିଶେଷ ସୂଚନା ଦେଇଛନ୍ତି।ଗିରଫ ଚୋର ତିନି ଜଣ ବୈଶିଙ୍ଗା ଥାନା ଅନ୍ତର୍ଗତ ପଣସିଆ ଗ୍ରାମର କୃଷ୍ଣ ସିଂ(୨୬), ଅଶୋକ ସିଂ (୩୨),ଓ ବଡ଼ସାହି ଥାନା ଅନ୍ତର୍ଗତ ଭୀମଦା ଗ୍ରାମର ଶିବ ଶଙ୍କର ଗିରି(୩୨) ବୋଲି ଜଣାଯାଇଛି. ସୂଚନା ମୁତାବକ ଗତ ମଇ ମାସ ୧୯ ଟାରିଖ ରାତିପ୍ରାୟ ୯ ଟା ବେଳେ ଅଭିଯୋଗ କାରୀ ସନ୍ତୋଷ ବେହେରା ପଣସିଆ ଗ୍ରାମର ଶିବ ସିଂ ଘରକୁ ନିଜ ବାଇକ ନଂ ଓଆର -୦୧ଜେ- ୯୬୪୦ ଯୋଗେ ଆସି ଘର ସାମ୍ନାରେ ବାଇକ ରଖି ଘର ଭିତରକୁ ଯାଇଥିବା ବେଳେ, ଅଧଘଣ୍ଟା ପରେ ଗାଡି ଚୋରୀ ହୋଇଥିବାର ଜାଣି ବୈଶିଙ୍ଗା ଥାନାରେ ଏତେଲା ଦେଇଥିଲେ।ବିଶ୍ୱସ୍ତ ସୂତ୍ରରୁ ଆସାମୀ ଅଶୋକ ସିଂ ଗାଡି ଚୋରୀ କରିଥିବା ଜଣାପଡିବା ପରେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶ କ୍ରମେ ବେତନଟି ଏସଡ଼ିପିଓ ମିନତୀ ବିଶ୍ୱାଳଙ୍କ ତତ୍ୱାବଧାନରେ ଏବଂ ବୈଶିଙ୍ଗା ଆଇଆଇସି ବାରିଣୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ପୋଲିସ ପ୍ରଥମେ ତାକୁ ଗିରଫ କରି ପଚରା ଉଚରା କରିବା ପରେ ଅନ୍ୟ ଦୁଇ ଆସାମୀ କୃଷ୍ଣ ସିଂ ଏବଂ ଶିବ ଶଙ୍କର ଗିରି ଙ୍କ ସମ୍ପୃକ୍ତି ଥିବା ଜାଣି ସେମାନଙ୍କ ଉପରେ ଚଢ଼ାଉ କରି ଗିରଫ କରିବା ସହିତ ସେମାନଙ୍କ ଠାରୁ ୯ଟି ଚୋରୀ ବାଇକ, ୩ଟି ଗାଡି ବ୍ୟାଟେରୀ ଏବଂ ୧୦ଟି ମୋବାଇଲ ଫୋନ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବାର ସାମ୍ବାଦିକ ସମ୍ମି ଳନୀରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଶ୍ରୀ ଗୋଛାୟତ କହିଛନ୍ତି।

