ମାଲକାନଗିରି, ୨୪/୦୮(ପାଇକପୁଅ): ଓଡ଼ିଶାର ବିକାଶଧାରାକୁ ଆଗକୁ ବଢାଇବାକୁ ଡବଲ ଇଂଜିନ ସରକାର ତତ୍ପର ଥିବା ବେଳେ କେତେକ ଅଂଚଳରେ ସରକାରୀ ବାବୁମାନେ ଏଥିରେ ବାଧକ ସାଜୁଛନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁଗର୍ମ ଅଂଚଳଗୁଡିକୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଦ ପଡୁନି । ଫଳରେ ଦୁର୍ଗମ ପଂଚାୟତ ଗୁଡ଼ିକରେ ଉନ୍ନୟନ ମୂଳକ କାମ ଠପ ହୋଇପଡିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ବିଶେଷ କରି ଚିତ୍ରକୋଣ୍ଡା ବ୍ଳକର ସ୍ୱାଭିମାନ ଅଂଚଳ ବିକାଶଧାରାରୁ ଏକ ପ୍ରକାର ବାଦ୍ ପଡିଥିବା ବେଳେ ସେଠାରେ ଜନଆନ୍ଦୋଳନ ମୁଣ୍ଡ ଟେକୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ଚିତ୍ରକୋଣ୍ଡା ବ୍ଳକର ସ୍ୱାଭିମାନ ଅଂଚଳରେ ପେପରମେଟଲା, ପଣସପୁଟ, ବଡ଼ପଦର, ବଡ଼ପଡ଼ା,ଯୋଡ଼ାମ୍ବ, ଅସ୍ରାପାଲୀ, ରାଲଗେଡ଼ା, ଗାଜଳ ମାମୁଡ଼ି, ଯନ୍ତ୍ରୀ, ଧୂଳିପୁଟ ପଂଚାୟତ ରହିଛି । ଏହି ପଂଚାୟତ ଗୁଡ଼ିକୁ ପିଇଓମାନେ ମାସ ମାସ ଧରି ଯାଉନାହାନ୍ତି । ତେଣୁ କୌଣସି ହିତାଧିକାରୀ ପଂଚାୟତ କାର୍ଯ୍ୟାଳୟକୁ ଆସିଲେ ତାଲା ଝୁଲି ରହୁଥିବା ଦେଖି ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି । ସରପଂଚମାନେ କେବଳ ନାମକୁ ମାତ୍ର ରହିଛନ୍ତି । କେବଳ ବ୍ଳକ କାର୍ଯ୍ୟାଳୟରେ ବସି ସମସ୍ତ କାମ କାଗଜ କଲମରେ ଚାଲିଛି ବୋଲି ଅଭିଯୋଗ ହେଉଛି ।
ଅଧିକାରୀମାନେ ମାସକୁ ଥରେ ନଚେତ ଦୁଇମାସକୁ ଥରେ ଯାଇ ଭତା ବଂଟନ କରି ଚାଲିଆସୁଛନ୍ତି । ବିକାଶ କାର୍ଯ୍ୟରେ ସରପଂଚ ମାନଙ୍କୁ ବି ଗୁରୁତ୍ୱ ଦିଆଯାଉ ନାହିଁ । ସେହିପରି ପଂଚାୟତର ଆକାଉଣ୍ଟାଟ ମାନଙ୍କୁ ମଧ୍ୟ କୌଣସି କାର୍ଯ୍ୟ ପ୍ରଦାନ କରାଯାଉ ନାହିଁ । ପଂଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ ର୍କମ ନିଯୁକ୍ତି ଯୋଜନାରେ ବହୁତ କାମ ଚାଲିଥିବା ବେଳେ କେବଳ କାଗଜ କଲମରେ ହେଉଛି । ପିଡିଏସ୍ ଚାଉଳ ବଂଟନ, ଭତା ବଂଟନ, ଆବାସ ଗୃହ ପ୍ରଦାନ ଏସବୁ କାମ କେବଳ ନାମକୁ ମାତ୍ର ଚାଲିଛି ।
କୌଣସି ସରାକରୀ ବାବୁଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଲେ ତରବରିଆ ଭାବେ ତଦାରଖ କରି ଚାଲିଯାନ୍ତି ।ପଂଚାୟତରେ କିପରି ବିକାଶ ମୂଳକ କାର୍ଯ୍ୟ ହେଉଛି ତାହାର ତଦାରଖ ହେଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ସରକାର ସ୍ୱାଭିମାନ ଅଂଚଳର ବିକାଶ ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଆଜି ବି ମୌଳିକ ସୁବିଧା ଅପହଂଚ ହୋଇ ରହିଛି । ଏଥିପ୍ରତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଦୁର୍ଗମ ଅଂଚଳରେ ଥିବା ପଂଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

