ମାଲକାନଗିରି, ୧୮/୦୮ (ସୁଧାଂଶୁ ଶେଖର ମହାନ୍ତି)ଲଗାଣ ବର୍ଷା ରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କାଲିମେଳା ବିଡିଓ ପ୍ରଦୀପ କର ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉଭୟ ପାର୍ଶ୍ଵ ରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରିଛନ୍ତି। ସୂଚନା ଥାଉ କି ପାଖାପାଖି ୬୦ ଟି ଟ୍ରକ୍ ଓ ୭ ଗୋଟି ହାଇଦରାବାଦ ଗସ୍ତ ବସ୍ କାଲି ରାତି ୧୨ ଟାରୁ ଲଗାଣ ବର୍ଷା ଯୋଗୁଁ ଅଟକି ରହିଥିଲା। ପୋଲର ଜଳ ସ୍ତର କମିବା ପରେ ସମସ୍ତ ଟ୍ରକ୍ ଓ ବସ୍ କୁ ଆଜି ଦିନ ୧୨ଟା ପରେ ଛଡ଼ାଯାଇଛି । ଲଗାଣ ବର୍ଷା ନିମନ୍ତେ ଜନ ସାଧାରଣଙ୍କ ସହାୟତା ନିମନ୍ତେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ରେଡ୍ ଆଲର୍ଟ କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ହେଡକ୍ୱାଟର ନଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ଫିଲ୍ଡ ଅଧିକାରୀ ଙ୍କୁ ସଜାଗ ହୋଇ ରହିବାକୁ କୁହାଯାଇଛି । ସମସ୍ତ ପ୍ରକାର ସମ୍ଭାବ୍ୟ ପରିସ୍ଥିତି ର ମୁକାବିଲା କରିବା ପାଇଁ ବିଡିଓ ମାନଙ୍କୁ ଗ୍ରାମ ପଞ୍ଚାୟତ ର ସମସ୍ତ କର୍ମଚାରୀ ଙ୍କ ସହ ଯୋଗାଯୋଗ ରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତହସିଲଦାର ମାନଙ୍କୁ ଆରଆଇ ମାନଙ୍କ ମାଧ୍ୟମରେ ଘର ଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଆକଳନ କରି ତୁରନ୍ତ ଟାରପଲିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଓ ଜିଲ୍ଲା କୃଷି ଅଧିକାରୀ ଙ୍କୁ ମଧ୍ୟ ଅନୁରୂପ ଭାବେ ଗୋ ସମ୍ପଦ ଓ ଶସ୍ୟ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

