ଯୋଡ଼ା, ୧୬/୦୮(ପାଇକପୁଅ) ଜିନ୍ଦଲ ଷ୍ଟିଲ ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ, ଟେନସା ଓ ରୋଇଡ଼ା ମାଇନ୍ସ ପରିସରରେ ବଡ଼ ଉତ୍ସାହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ସମସ୍ତ ୟୁନିଟରେ ଜାତୀୟ ପତାକା ଉତ୍ତୋଳନ ସହ ସ୍ୱାଧୀନତା ଦିବସ ସମାରୋହ ଆରମ୍ଭ ହୋଇଥିଲା। ବଡ଼ବିଲ, କାଶିଆ ଓ ଟେନସା କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର କାଶିଆ ମାଇନ୍ସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମାରୋହର ନେତୃତ୍ୱ ନେଇଥିଲେ। ବଡ଼ବିଲ ପେଲେଟ ପ୍ଲାଣ୍ଟରେ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ ଡି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଟେନସା ମାଇନ୍ସରେ ୟୁନିଟ ହେଡ୍ ଶ୍ରୀ ଆର. ଆର. ରଘୁବଂଶୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିକଟରେ ଜିନ୍ଦଲ ଅଧିଗ୍ରହଣ କରିଥିବା ରୋଇଡା ମାଇନ୍ସ ସହ ସୋୟାବାଲିସ୍ଥିତ ଜିନ୍ଦଲ ସ୍କୁଲରେ ମଧ୍ୟ ଶ୍ରୀ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ କୁରୁକ୍ଷେତ୍ରର ମାନ୍ୟବର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, “ସମସ୍ତଙ୍କୁ ୭୯ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ତ୍ରିରଙ୍ଗା ଆମ ଗର୍ବ, ସମ୍ମାନ ଓ ମର୍ଯ୍ୟାଦା। କାହିଁକି ଏହାକୁ କେବଳ କିଛି ସ୍ୱତନ୍ତ୍ର ଦିନ ମଧ୍ୟରେ ସୀମିତ ରଖିବା। ଆସନ୍ତୁ, କେବଳ ଆଜି ନୁହେଁ, ଏଣିକି ସବୁଦିନ ତ୍ରିରଙ୍ଗାକୁ ଆମ ଜୀବନର ଅଂଶ ଭାବେ ଗ୍ରହଣ କରିବା। ପ୍ରତି ଘରେ ପ୍ରତିଦିନ, ଗୋଟିଏ ତ୍ରିରଙ୍ଗା, ଜୟହିନ୍ଦ।”
ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପାରିପାର୍ଶ୍ୱିକ ଅଞ୍ଚଳରେ ଅବସ୍ଥିତ ସ୍କୁଲ ଓ ଗ୍ରାମଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହିତ ଗ୍ରାମଗୁଡ଼ିକରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।
କର୍ପୋରେଟ ସଂସ୍ଥାଗୁଡ଼ିକ ମଧ୍ୟରେ ସର୍ବାଧିକ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ କେନ୍ଦୁଝରରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିନ୍ଦଲ ଫାଉଣ୍ଡେସନକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନ ପ୍ରଦାନ କରିଥିଲେ।
ଜିନ୍ଦଲ ଷ୍ଟିଲର ସମସ୍ତ ୟୁନିଟରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ସେମାନଙ୍କ ପରିବାର ସାମିଲ ହୋଇଥିଲେ। ଜାତୀୟ ପତାକା ଉତ୍ତୋଳନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

